ଡିଆରଆଇର ବଡ ଖୁଲାସା, ଓପୋ ଇଣ୍ଡିଆ ଚୋରୀ କରିଛି ୪୩୮୯ କୋଟିର ଟ୍ୟାକ୍ସ

389

କନକ ବ୍ୟୁରୋ : ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ ଦାବି କରିଛି କି, ମୋବାଇଲ କମ୍ପାନୀ ଓପୋ ଇଣ୍ଡିଆ ଭାରତରୁ ୪୩୮୯ କୋଟି ଟଙ୍କାର ଟ୍ୟାକ୍ସ ଚୋରୀ କରିଛି । ଚାଇନାରୁ ଆସି ଭାରତରେ ମୋବାଇଲ ବ୍ୟବସାୟ କରୁଥିବା ଓପୋ କମ୍ପାନୀ ଉପରେ ବି ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଏପ୍ରିଲମାସରେ ଖୁଚୁରା ମୋବାଇଲ ବିକ୍ରେତାଙ୍କ ଏକ ସଂଗଠନ ଅଭିଯୋଗ କରିଥିଲେ କି, ଚୀନ ସ୍ମାର୍ଟଫୋନ ନିର୍ମାତା ଓପୋ କମ୍ପାନୀ ଅନଲାଇନ ପ୍ଲାଟଫର୍ମରେ ଏହାର ଉତ୍ପାଦକୁ ସୀମିତ କରି ଅନ୍ୟାୟ ଭାବେ ବାଣିଜ୍ୟ କରୁଛି ।

ସେପଟେ ଡିଆରଆଇ ଏକ ବୟାନ ଜାରି କରି କହିଛି କି ଡିଆରଆଇ ଦ୍ୱାରା ଓପୋ ଇଣ୍ଡିଆର କାର୍ଯ୍ୟାଳୟ ଓ କିଛି ପ୍ରମୁଖ କର୍ମଚାରୀଙ୍କ ବାସଭବନରେ ଚଢାଉ କରାଯାଇଥଲା । ଏଥିରୁ ସ୍ପଷ୍ଟ ହୋଇଛି କି ଓପୋ ଇଣ୍ଡିଆ ଦ୍ୱାରା ବ୍ୟବହାର ପାଇଁ ଆମଦାନୀ ହୋଇଥିବା କିଛି ସାମଗ୍ରୀର ବିବରଣୀକୁ ଭୁଲ ଭାବେ ଦର୍ଶାଯାଇଛି । ଏନେଇ ଓପୋ ଇଣ୍ଡିଆର ବରିଷ୍ଠ ପରିଚାଳନା କର୍ମଚାରୀ ଓ ଘରୋଇ ଯୋଗାଣକାରୀ ସଂସ୍ଥାକୁ ଡିଆରଆଇ ଦ୍ୱାରା ପଚରାଉଚରା କରାଯାଇଥିଲା । ଏନେଇ କମ୍ପାନୀ ତରଫରୁ ଅନେକ ଭୁଲ ସୂଚନା ପ୍ରଦାନ କରାଯାଇଥିବା କଥା ଡିଆରଆଇ ତାର ବୟାନରେ କହିଛି ।

ସେପଟେ ଅନୁସନ୍ଧାନରୁ ଜଣାପଡିଛି କି, ମାଲିକାନା ଟେକ୍ନୋଲୋଜୀ, ବ୍ରାଣ୍ଡ ଏବଂ ଆଇପିଆର ଲାଇସେନ୍ସ ବ୍ୟବହାର ବଦଳରେ ଓପୋ ଇଣ୍ଡିଆ ଚୀନରେ ଅବସ୍ଥିତ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀକୁ ରୟାଲିଟି ଏବଂ ଲାଇସେନ୍ସ ଶୁଳ୍ପ ମାଧ୍ୟମରେ ବେଆଇନ ଅର୍ଥ ପ୍ରଦାନ କରାଯାଇଛି । ଡିଆରଆଇର ବୟାନ ମୁତାବକ ଓପୋ ଇଣ୍ଡିଆ ଦ୍ୱାରା ପ୍ରଦାନ କରାଯାଇଥିବା ରୟାଲଟି ଏବଂ ଲାଇସେନ୍ସ ଫି ସେମାନଙ୍କ ଦ୍ୱାରା ଆମଦାନୀ ହୋଇଥିବା ସାମଗ୍ରୀର କାରବାର ମୂଲ୍ୟରେ ଯୋଡାଯାଉ ନଥିଲା ।