ମହାମାୟୀଙ୍କ ମହାଷ୍ଟମୀ: ପୂଜା ମଣ୍ଡପରେ ମାଆ ଜଗତଜନନୀଙ୍କ ଆରାଧନା, ପୀଠରେ ଚାଲିଛି ନବମୀ ପୂଜା

ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୁଅ ମାଳାରେ ଝଲସୁଛି ପୂଜା ପେଣ୍ଡାଲ

238

କନକ ବ୍ୟୁରୋ: ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ଆଖି ପାଉନଥିବା ତୋରଣ ଓ ମଣ୍ଡପରେ ମାଆଙ୍କ ଆବାହନ ସହ ମହାଷ୍ଟମୀ ପୂଜାରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଛୁଟିଛି ପୂଜା ମଣ୍ଡପକୁ । ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା ଦେଖିବାକୁ ଭିଡ ଜମାଉଛନ୍ତି । ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁ ଆତୁର ରହିଛି । ଆଖି ଝଲସା ଆଲୋକମାଳାରେ ସଜା ହୋଇଛି ସାରା ଓଡିଶାର ପୂଜା ପେଣ୍ଡାଲ ।

ରାଜଧାନୀ ଭୁବନେଶ୍ୱରର ସହିଦ ନଗରରେ ଚାନ୍ଦି ମେଢ ସାଙ୍ଗକୁ ମାଆଙ୍କ ସୁନା ମୁକୁଟ ଦେଖିବାକୁ ପ୍ରବଳ ଭିଡ ଜମୁଛି । ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଚାନ୍ଦି ମେଢ ଦେଖିବାକୁ ମିଳିଛି । ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ସେପଟେ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠରେ ମାଆଙ୍କ ଆରାଧନା କରାଯାଉଛି । କଟକରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି । ପୁରୀରେ ମଧ୍ୟ ବେଶ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ କରାଯାଇଛି ।

ସେପଟେ ପୀଠରେ ଆଜି ମାଆଙ୍କ ନବମୀ ପୂଜା । ଶନିବାର ରାଜ୍ୟର ସମସ୍ତ ଶକ୍ତିପୀଠରେ ଜଗତଜନନୀଙ୍କ ମହାଷ୍ଟମୀ ପୂଜା କରାଯାଇଛି । କଟକର କଟକ ଚଣ୍ଡି, ଯାଜପୁରର ମାଆ ବିରଜା ଏବଂ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଷୋଡଶ ଉପଚାରରେ ପୂଜା ଚାଲିଛି । କଟକ ଚଣ୍ଡି ମନ୍ଦିରକୁ ଫୁଲରେ ସୁନ୍ଦର ଭାବେ ସଜା ଯାଇଛି । ନବରାତ୍ର ପୂଜା ସମୟରେ ଚଣ୍ଡିଙ୍କର ଭିନ୍ନଭିନ୍ନ ବେଶ କରାଯାଇଥାଏ । ମହାଷ୍ଟମୀରେ ଚଣ୍ଡିଙ୍କୁ ମହାକାଳୀ ବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସେହିପରି ସକାଳୁ ସକାଳୁ ବୈତରଣୀ ନଦୀରୁ ଜଳ ଆସିବା ପରେ ମାଆ ବିରଜାଙ୍କ ମହାସ୍ନାନ କରାଯାଇଥିଲା ।

ପରେ ନୀତି ଅନୁସାରେ ପୂଜା ବିଦ୍ଧି କରାଯାଉଛି । ଦେବୀ ଶାରଳାଙ୍କ ପୀଠରେ ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶାରଦୀୟ ପାର୍ବଣ ପୂଜା ବିଦ୍ଧିି ସମାପନ ହୋଇଛି । ବିଳମ୍ବିତ ରାତ୍ରିରେ ଶକ୍ତି ପୀଠରେ ସନ୍ଧି ପୂଜା କରାଯାଇଛି । ଶ୍ରଦ୍ଧାଳୁମାନେ ଶାରଳାଙ୍କ ଦର୍ଶନ କରିବା ସହ ଉତ୍ପାଦିତ ନୂତନ ଶସ୍ୟରେ ପ୍ରସ୍ତୁତ ଭୋଗ ମାଆଙ୍କ ପାଖରେ ଲାଗି କରିଛନ୍ତି । ମହାଷ୍ଟମୀରେ ଶକ୍ତି ସ୍ୱରୁପିଣୀଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ଶକ୍ତି ପୀଠ ମାନଙ୍କରେ ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।