ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ମହିଳାଙ୍କୁ ପ୍ରତାରିତ କରିଛନ୍ତି ମନ୍ତ୍ରୀ, ବାହାରେ ବୁଲୁଛି ଭିଡିଓ

197

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଭିଯୋଗ କରି କହିଛନ୍ତି ମହିଳାଙ୍କୁ ପ୍ରତାରିତ କରିଛନ୍ତି ମନ୍ତ୍ରୀ । ଯାହାର ଭିଡିଓ ବାହାରେ ବୁଲୁଛି । ଯେଉଁ ମହିଳାଙ୍କୁ ଓଡ଼ିଶା ସରକାରଙ୍କ ଜଣେ ମନ୍ତ୍ରୀ ପ୍ରତାରିତ କରିଥିଲେ, ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସେଇ ମହିଳା, ମନ୍ତ୍ରୀଙ୍କ ନାଁ ନେଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।

ଏପଟେ ସମାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଦକ୍ଷିଣ ଓଡ଼ିଶାର ଜଣେ ମନ୍ତ୍ରୀଙ୍କ କଥା ସମସ୍ତେ ଜାଣନ୍ତି । ଏ ସରକାର ମହିଳାଙ୍କୁ ସମ୍ମାନ ଦେବା ନାଁରେ ବିଧାୟକ ଓ ମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ସରକାର ସ୍ପଷ୍ଟ କରନ୍ତୁ ଦକ୍ଷିଣ ଓଡ଼ିଶାର ସେହି ମନ୍ତ୍ରୀ ଜଣକ କିଏ? ସଂପୃକ୍ତ ମହିଳା ଥାନାକୁ ଏତଲା ଦେବା ପାଇଁ ଯାଇଥିଲେ ମଧ୍ୟ ତାହା ଗ୍ରହଣ କରାଯାଇନଥିଲା । ପରବର୍ତୀ ସମୟରେ ତାଙ୍କୁ ବଝାଇ ଦିଆଯାଇଥିଲା ବୋଲି ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ଆଣିଥିବା ଅଭିଯୋଗ ଉପରେ ରାଜ୍ୟ ସରକାର କିମ୍ବା ଶାସକ ଦଳର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଅଭିଯୋଗ ଉପରେ ଶାସକ ଦଳର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ।