ପୌର ନିର୍ବାଚନ ପାଇଁ ବିଜେପିର ବଡ଼ ପ୍ଲାନ । ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ ପାତ୍ର

513

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ବିଜେଡି ତା’ର ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜେପି ତରଫରୁ ସେଭଳି କୌଣସି ବଡ଼ ନେତା ଏଯାଏଁ ପ୍ରଚାର ମୈଦାନକୁ ଓହ୍ଲାଇ ନଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ପୌର ନିର୍ବାଚନୀ ପ୍ରଚାର ପାଇଁ ବିଜେପିର ମଙ୍ଗ ଧରିବାକୁ ଯାଉଛନ୍ତି ଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତ ପାତ୍ର । ବିଜେପିର ଏହି ତିନି କେନ୍ଦ୍ରୀୟ ନେତା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର ପୌର ନିର୍ବାଚନ ପାଇଁ ପ୍ରଚାର କରିବେ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ । ଦୁଇ ତିନି ଭିତରେ ଏହି ତିନି ତୁଙ୍ଗ ନେତା ପ୍ରଚାର ମୈଦାନକୁ ଆସିବେ ବୋଲି ସୂଚନା ଦିଆଯାଇଛି ।

ତେବେ ବାସ୍ତବରେ ଜାଣିଶୁଣି ଆସୁନଥିବା କଥା ସତ ନୁହେଁ । ଧର୍ମେନ୍ଦ୍ରଙ୍କ ଉପରେ ଉତ୍ତରପ୍ରଦେଶ ବିଧାନସଭା ପାଇଁ ଗୁରୁ ଦାୟିତ୍ୱ ଥିଲା । ୟୁପି ନିର୍ବାଚନ ସରିଥିବାରୁ ଏବେ ଧର୍ମେନ୍ଦ୍ର ରାଜ୍ୟକୁ ଆସିବେ ବୋଲି କହିଛନ୍ତି ସୁରଥ ବିଶ୍ୱାଳ । ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପିର କୌଣସି ବଡ଼ ନେତା ପ୍ରଚାର ନକରିବା ଦଳ ପରାଜୟର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଥିଲା । ତେଣୁ ଏହି ପରାଜୟରୁ ଶିକ୍ଷା ନେଇ ବିଜେପି ପୌର ନିର୍ବାଚନ ପାଇଁ ତା’ର ଶୀର୍ଷ ନେତାଙ୍କ ହସ୍ତକ୍ଷେପ ଲୋଡ଼ିଥିବା ଜଣାପଡ଼ିଛି ।