୧୫ ଦିନ ପରେ ବନ୍ଦ ହେଲା ବ୍ୟାଙ୍କ ! ଖାଲି ହୋଇଗଲା ଅଧିକାଂଶ ଏଟିଏମ୍

58

କନକ ବ୍ୟୁରୋ : ୧୫ ଦିନ ପରେ ବନ୍ଦ ହେଲା ବ୍ୟାଙ୍କ । ବିମୁଦ୍ରାକରଣ ଘୋଷଣା ହେବା ପରେ ଆଜି ସାରା ରାଜ୍ୟରେ ବ୍ୟାଙ୍କଗୁଡିକରେ ଚତୁର୍ଥ ଶନିବାର ଛୁଟି । ବ୍ୟାଙ୍କ କର୍ମଚାରୀଙ୍କୁ ସିନା ମିଳିଛି ଆଶ୍ୱସ୍ତି, ହେଲେ ଲୋକେ ହନ୍ତସନ୍ତ । କାରଣ ଅନେକ ସ୍ଥାନରେ ଏଟିଏମରୁ ବାହାରୁନି ଟଙ୍କା । ଆସନ୍ତାକାଲି ରବିବାର ଓ ସୋମବାର ବିରୋଧୀଙ୍କ ଭାରତ ବନ୍ଦ ଡାକରା ଲୋକଙ୍କ ଆଶଙ୍କାକୁ ଆହୁରି ବଢାଇ ଦେଇଛି ।

ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ୍ ଜମା ହୋଇପାରିବ ବୋଲି ସରକାର ଘୋଷଣା କରିବା ପରେ, ବ୍ୟାଙ୍କ ଶାଖାଗୁଡିକରେ ଲାଗି ରହୁଥିଲା ପ୍ରବଳ ଭିଡ । ହଠାତ କାରବାର ବଢିଯାଇଥିବାରୁ କର୍ମଚାରୀଙ୍କୁ ଆଉ ଫୁରସତ ନଥିଲା । ଏପରିକି ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ ଅବଧୀ ବଢାଇଦେଲେ ସରକାର ।

ଏହାରି ଭିତରେ କାମର ଚାପ ଯୋଗୁଁ ଦେଶର ବିଭିନ୍ନ ଅଂଚଳରୁ ପ୍ରାୟ ୧୧ଜଣ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛନ୍ତି କେତେକ ଜାତୀୟ ଗଣମାଧ୍ୟମ । ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଆଜି ମିଳିଛି ଫୁରସତ୍ । ଚତୁର୍ଥ ଶନିବାରରେ ରାଜ୍ୟରେ ବନ୍ଦ ରହିଛି ବ୍ୟାଙ୍କ । ହେଲେ ଲୋକେ ହନ୍ତସନ୍ତ ।

ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଛୁଟି । ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି ବିରୋଧୀଦଳଗୁଡିକ । ତେଣୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଆସି ନିରାଶ ହେବା ପରେ ଏଟିଏମରେ ଧାଡି ଲଗାଇଛନ୍ତି ଲୋକେ । ହେଲେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଏଟିଏମ ଅଚଳ । ଲୋକଙ୍କ ଆବ୍ୟକତାକୁ ଦେଖି ପର୍ଯ୍ୟପ୍ତ ଟଙ୍କା ଯୋଗାଇ ଦେଉନାହିଁ ଆରବିଆଇ । ଏପଟେ ବ୍ୟାଙ୍କ ବନ୍ଦ ଥିବାରୁ କିଛି ଘଂଟା ଭିତରେ ଖାଲି ହୋଇଯାଇଛି ଏଟିଏମଗୁଡିକ ।

ଏଟିଏମରୁ ଦିନକୁ ସର୍ବାଧିକ ୨୦୦୦ ଟଙ୍କା ଉଠାଣ ନେଇ କଟକଣା କରିଛନ୍ତି ସରକାର । ତେଣୁ ନିଜର ଆବଶ୍ୟକତା ପାଇଁ ପ୍ରତିଦିନ ଏମିତି ଏଟିଏମରୁ ଏଟିଏମ ବୁଲିବାକୁ ପଡୁଛି । ହସ୍ପିଟାଲ ଖର୍ଚ୍ଚ, ପିଲାଙ୍କ ପାଠପଢା ଫି କିମ୍ବା ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବାକୁ ନାକେଦମ ହେଉଛନ୍ତି ରାଜ୍ୟବାସୀ ।

ମୋଦି ସରକାରଙ୍କ ବିମୁଦ୍ରା କରଣ ଘୋଷଣା ହେବା ଦିନରୁ ବ୍ୟାଙ୍କିଙ୍ଗ ଓ ଏଟିଏମ ସେବାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ସାମ୍ନକୁ ଆସୁଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢିଚାଲିଛି ।