ଏମିତି ବଦଳିଲା ଜୀବନ: ୬୦ ବର୍ଷର ଦିନ ମଜୁରିଆ ରାତାରାତି ହୋଇଗଲେ ମଡେଲ, ଫଟୋ ଭାଇରାଲ 

214

କନକ ବ୍ୟୁରୋ: କାହା ଜୀବନ କେତେବେଳେ କଡ ଲେଉଟାଏ ତାହା ଜାଣିବା ମୁସକିଲ । ଏହାର ତାଜା ଉଦାହରଣ ହେଉଛନ୍ତି ୬୦ ବର୍ଷିୟ ଜଣେ ଦିନ ମଜୁରିଆ । ତାଙ୍କୁ କଣ ବା ଜଣାଥିଲା ସେ ରାତାରାତି ମଡେଲ ହୋଇଯିବ ବୋଲି । ତେବେ ଏମିତି ଏକ ଘଟଣା ଘଟିଛି ଏହି ଦିନ ମଜୁରିଆ ମମିକ୍କାଙ୍କ ସହ । କେରଳର ଏହି ୬୦ ବର୍ଷିୟ ମମିକ୍କାଙ୍କ ଜୀବନରେ ସବୁଦିନ ମୂଲ ଲାଗିବା ଓ ଖାଇବା ଛଡା ଆଉ କିଛି ନଥିଲା ।

ସବୁ ଦିନ ମମିକ୍କା ଗୋଟିଏ ପୁରୁଣା ଲୁଙ୍ଗି ଓ ମଇଳା ଗଞ୍ଜିରେ ନଜର ଆସନ୍ତି । ତେବେ ତାଙ୍କ ଜୀବନରେ ଏବେ ଏମିତି ସମୟ ଆସିଛି ତାଙ୍କୁ ଦେଖିଲେ ବଡ ବଡ ମଡେଲ ମଧ୍ୟ ଇର୍ଶାରେ ଜଳି ଉଠିବେ । ସୋସିଆଲ ମିଡିଆରେ ମମିକ୍କାଙ୍କ ଏକ ମଡେଲିଂର ଫଟୋ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଲୋକମାନେ ବିଶ୍ୱାସ କରିପାରୁନାହାନ୍ତି ସେ ମମିକ୍କା ବୋଲି । ଯାହାଙ୍କୁ ପ୍ରତିଦିନ ଲୋକମାନେ ମଇଳା ପୋଷାକରେ ଦେଖିଥାନ୍ତି, ଆଜି ସେ ବ୍ରାଣ୍ଡେଡ ଚଷମା ଓ ସୁଟବୁଟରେ ନଜର ଆସୁଛନ୍ତି । ଆପଣ ତାଙ୍କୁ ଦେଖିଲେ କେବେ ବି ଲାଗିବନି ଯେ ଏ ବ୍ୟକ୍ତି ଜଣେ ଦିନ ମଜୁରିଆ ଥିଲେ ।

ସୂଚନା ଅନୁସାରେ, ଦିନେ ଜଣେ ଫଟୋଗ୍ରାଫରଙ୍କ ନଜର ମମିକ୍କାଙ୍କ ଉପରେ ପଡିଥିଲା । ତାଙ୍କୁ ଏହି ଦିନ ମଜୁରିଆଙ୍କ ଭିତରେ ମଡେଲ ନଜର ଆସିଥିଲା । ତେଣୁ ସେ ତାଙ୍କୁ ମେକଅପ କରି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଛାଡିଦେଇଥିଲେ । ଯାହାପରେ ତାଙ୍କୁ ଅନେକ ଲୋକ ପ୍ରଶଂସା କରିଥିଲେ । ଆଉ ମିମିକ୍କା ରାତାରାତି ଷ୍ଟାର ହୋଇଯାଇଥିଲେ । ତେବେ ମମିକ୍କାଙ୍କୁ ରାତିରାତି ଷ୍ଟାର କରିଥିବା ଏହି ଫଟୋଗ୍ରାଫରଙ୍କ ନାଁ ହେଉଛି ଶରିକ ବାୟାଲିଲ ।