ନୂଆବର୍ଷରେ ବଡଦାଣ୍ଡରେ ଭିଡ ଆଶଙ୍କା: ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା । ବଢିବ ବ୍ୟାରିକେଡ, ହଟିବ ଉଠାଦୋକାନ

93

କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିବାକୁ ଭକ୍ତ ଅପେକ୍ଷାରେ ରହିଛନ୍ତି । ଏବେଠୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦେଖିଲେ ଜାଣିହେଉଛି ନୂଆବର୍ଷରେ କେମିତି ଭିଡ ହେବ ।

ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରର ଅସ୍ଥାୟୀ ସେଡ୍କୁ ମାର୍କେଟ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ଏଥିପାଇଁ ୨୦ ଫୁଟ ଓସାରରେ ବଡ଼ଦାଣ୍ଡ ମଝିରେ ବାଉଁଶର ବାରିକେଡ୍ କରାଯାଇଛି । ଛାୟାସେଡରେ ଏଲଇଡି ଲଗାଇ ଭକ୍ତଙ୍କ ଜାଣିବା ପାଇଁ ନୀତିକାନ୍ତି ବାବଦରେ ସୂଚନା ଦେବା ବ୍ୟବସ୍ଥା ହୋଇଛି । ଭିଡ ନିୟନ୍ତ୍ରଣ ପାଇଁ ଡିସେମ୍ବର ୩୧ରୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ମାର୍କେଟ ଛକରୁ ଶ୍ରୀନହର ଯାଏଁ ଉଠାଦୋକାନ ଓ ଅନ୍ୟ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ମାର୍କେଟ ଛକ ଓ ମରିଚକୋଟ ଛକ ପାଶ୍ୱର୍ରେ ଯୋତା ଷ୍ଟାଣ୍ଡ ରହିବ ଓ ସେଡରେ ପାଣି ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ବର୍ଷରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ପୁରୀ ସହରର ଟ୍ରାଫିକ ବ୍ୟବସ୍ଥା ଓ ବେଳାଭୂମି ଭିଡ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିଷ୍ପତି ନିଆଯାଇଛି । ତାଲବଣିଆ ଓ ଷ୍ଟର୍ଲିଂ ନିକଟରେ କାର ପାର୍କିଂ, ବଡଶଙ୍ଖ ଠାରୁ ଶରଧାବାଲି ଯାଏଁ ଦୁଇ ଚକିଆ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସେପଟେ ନୂଆବର୍ଷକୁ ଦୃଷ୍ଟିରେ ରଖି ହୋଟଲ ମାଲିକ ଓ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ହେଲଫ ଲାଇନ ଜାରି କରିଛି ପୁରୀ ପୁଲିସ । ଜରୁରୀ ସମୟରେ ୧୧୨ କିମ୍ବା ୨୪ ଘଂଟିଆ ହେଲଫ ଲାଇନ ନମ୍ବର ୬୩୭୦୯୬୭୧୦୦କୁ କଲ କରିପାରିବେ ହୋଟେଲ କର୍ମଚାରୀ ଓ ପର୍ଯ୍ୟଟକ । ଏଥିସହ ସରକାରଙ୍କ ସମସ୍ତ ନିୟମ ମାନି ଜିରୋ ନାଇଟ ସେଲିବ୍ରେସନ କରିବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବଡ ଦିନରେ ଶ୍ରୀମନ୍ଦିରରେ ଦଳାଚକଟା ହେବାରୁ ସ୍କୁଲ ପିଲା ଆହତ ହୋଇଥିଲେ । ଏଥିରୁ ଶିକ୍ଷା ନେଇ ଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ୨ବର୍ଷ ପରେ ବିନା କୋଭିଡ କଟକଣାରେ ନୂଆ ବର୍ଷ ଓ ଜିରୋନାଇଟ ସେଲିବ୍ରେସନ ହେଉଥିବାରୁ ଶ୍ରୀକ୍ଷେତ୍ରରେ ହେବାକୁ ଥିବା ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିବା ଚ୍ୟାଲେଞ୍ଜ ପୁରୀ ପ୍ରଶାସନ ଆଗରେ ରହିଛି ।