ଯଦି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ବିଶ୍ୱାସ କରାଯାଏ ତେବେ ରାଷ୍ଟ୍ରପତି ନିର୍ବାଚନ ସମୟରେ ହୋଇଛି କ୍ରସ୍ ଭୋଟିଂ । ହେଲେ କିଏ କରିଛି ଓ କେଉଁ ଦଳର ନେତା କ୍ରସ୍ ଭୋଟିଂ କରିଛନ୍ତି, ସେନେଇ ନୀରବ ଅଛନ୍ତି କେନ୍ଦ୍ରାପଡା ସାଂସଦ । ଟ୍ୱିଟରେ ବୈଜୟନ୍ତ କହିଛନ୍ତି- କାହିଁକି ରାଜନୈତିକ ଦଳ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ କୈାଣସି ପକ୍ଷ ନେଉଛନ୍ତି ଯେତେବେଳେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବନି । ରାଜ୍ୟସଭା ନିର୍ବାଚନ ଭଳି ଏହା ଖୋଲା ଭୋଟ୍ ନୁହଁ । କିଛି ସାଂସଦ ଗତକାଲି ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳ ନିଷ୍ପତ୍ତି ବାହାରେ ଭୋଟ୍ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବୈ÷ଜୟନ୍ତ ପଣ୍ଡାଙ୍କ ଏହି ଟ୍ୱିଟ୍ ଏବେ ରାଜନୈତିକ ଝଡ ସୃଷ୍ଟି କରିଛି । ବୟାନ ଠିକ୍ ସେହି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବୈଜୟନ୍ତ କଣ ଇଙ୍ଗିତ କରିବାକୁ ଚାହୁଁଛନ୍ତି? ନା ଦଳ ଭିତରର ଗୁମର ସାମ୍ନାକୁ ଆଣିଛନ୍ତି ଏହି କେନ୍ଦ୍ରାପଡା ସାଂସଦ । ବିଜେଡି ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବା ପରେ ଦଳ ଭିତରେ ମଧ୍ୟ କିଛିଟା ଚାପା ଗୁଂଜରଣ ସୃଷ୍ଟି ହୋଇଥିଲା । ଏପରିକି ଜଣେ ସାଂସଦ ଖୋଲାଖୋଲି ନବୀନଙ୍କ ନିଷ୍ପତ୍ତି ବିରୋଧରେ ନିଜ ମତ ରଖିଥିଲେ । ଯଦିଓ ପରବର୍ତ୍ତୀ ପର୍ଯାୟରେ ଦଳ ନିଷ୍ପତ୍ତିକୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ ।
ବଡ କଥା ହେଉଛି, ବୈଜୟନ୍ତ ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂକୁ ଇଙ୍ଗିତ କରି ଉପରାଷ୍ଟ୍ରପତି ନିର୍ବାଚନ ସମୟରେ କ୍ରସ୍ ଭୋଟିଂ ହେବ ବୋଲି ବାର୍ତ୍ତା ଦେବାକୁ ଚାହୁଁନାହାନ୍ତି ତ? କାରଣ ଭେଙ୍କେୟା ନାଇଡୁଙ୍କୁ ଏନଡିଏ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ତୁରନ୍ତ ବୈଜୟନ୍ତ ଟ୍ୱିଟ୍ କରିଥିଲେ । ଭେଙ୍କେୟାଙ୍କୁ ପ୍ରଶଂସା ବି କରିଥିଲେ । ବିଜେଡି ପୁର୍ବରୁ ବୈଜୟନ୍ତଙ୍କ ମତ ଦଳୀୟ ମହଲରେ ଚାପା ଗୁଂଜରଣ ସୃଷ୍ଟି କରିଥିଲା । ଆଉ ଏବେ ବୈଜୟନ୍ତଙ୍କ ଏହି କ୍ରସଭୋଟିଂ ସଂକ୍ରାନ୍ତ ଟ୍ୱିଟ୍ ପୁଣି ରାଜନୈତିକ ଝଡକୁ ସାମ୍ନାକୁ ଆଣିଛି ।
ଏନେଇ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ହେବ ନାହିଁ । କିଛି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ହେଲେ ଏହା ଜାଣିବା ମୁସ୍କିଲ ଦଳ ଭିତରେ କ୍ରସ୍ ଭୋଟିଂ ହୋଇଛି କି ନାହିଁ । ତେଣୁ ବିଜେଡି ମୁଖିଆ ଯେତେ ଦୃଢତା ପ୍ରକାଶ କଲେ ବି ମନ ଭିତରେ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ କଥା । ଅନୁମାନ କରାଯାଉଛି ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେଡି ଭିତରୁ କ୍ରସ୍ ଭୋଟିଂ ହୋଇପାରେ ।
ଗଣିତ କହୁଛି, ଇଲେକ୍ଟୋରାଲ କଲେଜର ୬୦% ଭୋଟ୍ ପାଇପାରନ୍ତି ନାଇଡୁ । ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟ ଏବଂ ଲୋକସଭାର ୫୪୩ ନିର୍ବାଚିତ ଓ ୨ ମନୋନୀତ ସଦସ୍ୟ ଭୋଟଦେବେ । ଆଉ ଏଥିରୁ ୫୫୭ ସାଂସଦଙ୍କ ସମର୍ଥନ ନାଇଡୁଙ୍କ ସପକ୍ଷରେ ଆସିପାରେ । ତେଣୁ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହୋଇପାରନ୍ତି ଭେଙ୍କେୟା ନାଇଡୁ, ଏଥିରେ ଆଉ କୈାଣସି ଅବକାଶ ନାହିଁ । ତେବେ ଦଳୀୟ ସ୍ତରରେ କିନ୍ତୁ ଏହାର ବ୍ୟାପକ ପ୍ରଭାବ ରହିବ ଖାସ କରି ବିଜୁ ଜନତା ଦଳ ଭଳି ଆଂଚଳିକ ଦଳର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହେବ । ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ନେଇ ଦଳ ଗୋଟିଏ ସ୍ପଷ୍ଟ କାରଣ ଦର୍ଶାଇ ପାରୁନି ଏବଂ ଅନ୍ୟପଟେ ବୈଜୟନ୍ତଙ୍କ ଟ୍ୱିଟ୍ । ଏହାରି ଭିତରେ ଅପେକ୍ଷା ସମୀକରଣ ବଦଳୁଛି ନା ନେତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସୁଛି ।