କ୍ରାଇମବ୍ରାଞ୍ଚ ଜାଲରେ ବିଚାରପତିଙ୍କ ଠକ ଜ୍ୱାଇଁ । ମେଡ଼ିକାଲ୍ କଲେଜରେ ନାମ ଲେଖାଇ ଦେବାକୁ କହି ଚଳୁ କରିଦେଇଛନ୍ତି ୧୦କୋଟିରୁ ଅଧିକ ଟଙ୍କା, ଖୋଜୁଥିଲେ ୫ ରାଜ୍ୟର କ୍ରାଇମବ୍ରାଞ୍ଚ ।

897

କନକ ବ୍ୟୁରୋ : ମେଡିକାଲ କଲେଜରେ ନାମ ଲେଖାଇ ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି ଜଣେ ଯୁବକ ଓ ତାଙ୍କ ସହଯୋଗୀ । ଏହି ଘଟଣା ସାମ୍ନାକୁ ସେତେବେଳେ ଆସିଲା, ଯେତେବେଳେ ଗିରଫ ହେଲେ ଏହି ଠକେଇର ମୁଖ୍ୟ କାର୍ପଟଦାର ସୌମ୍ୟକାନ୍ତ ଚୌଧୁରୀ । ସାରା ଦେଶର ବିଭିନ୍ନ ସହରରେ ଛାତ୍ରଛାତ୍ରୀଙ୍କୁ ମେଡିକାଲ କଲେଜରେ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇ ସେ ଦୀର୍ଘ ଦିନରୁ ଠକି ଚାଲିଥିଲା ସୌମ୍ୟକାନ୍ତ । ତେବେ ଓଡିଶା କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଛି ଏହି ଠକ ଏବଂ ସାମ୍ନାକୁ ଆସିଛି କେମିତି ଚାଲିଥିଲା ଏହି ଠକ୍ ସାମ୍ରାଜ୍ୟ ।

ସୌମ୍ୟକାନ୍ତ ଚୌଧୁରୀ । ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କ ଜ୍ୱାଇଁ । ଯେଉଁ ପରିବାର ନ୍ୟାୟ ରକ୍ଷା ପାଇଁ କାମ କରନ୍ତି, ସେହି ପରିବାରର ଜଣେ ସଦସ୍ୟଙ୍କ କାରନାମା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ନିମାପଡା ଅଂଚଳର ସୌମ୍ୟକାନ୍ତ, ଇଂଜିନିଅରିଂ ପାଠ ପଢିଥିବା ବେଳେ ସାରା ଦେଶର ମେଧାବୀ ଛାତ୍ରଙ୍କୁ ଚୂନା ଲଗାଇବା ପାଇଁ କରିଥିଲେ ଯୋଜନା । ବିଭିନ୍ନ ସ୍ଥାନରୁ ପିଲାଙ୍କୁ ମେଡିକାଲ କଲେଜରେ ନାମ ଲେଖାଇ ଦେବା ନାଁରେ ଚଳାଇଥିଲା ରାକେଟ୍ ।

ଆସାମର ଡାକ୍ତର ସୁଜିତ ନାଥ ଚୌଧୁରୀ । ନିଜ ଝିଅର ନାଁ ଲେଖାଇବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬୯ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଝିଅର ନାମ ଲେଖା ହୋଇପାରିଲା ନାହିଁ । । ଏନେଇ ଅଭିଯୋଗ ପରେ ଚାଲିଥିଲା ତନାଘନା । ଆଉ ଏହି ତନଘନା ଭିତରେ ସୌମ୍ୟକାନ୍ତଙ୍କ ଠକେଇର ପୂରା କାହାଣୀ ଉପରୁ ପରଦା ଉଠିଥିଲା ।

ମେଡିକାଲ କୋଚିଂ ଦେଉଥିବା ଅନୁଷ୍ଠାନ ସହ ସଂପର୍କ ରଖି ପ୍ରବେଶିକା ପରୀକ୍ଷାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ସୌମ୍ୟକାନ୍ତ ଓ ତାଙ୍କ ସହଯୋଗୀ । ଅଭିଭାବକଙ୍କ ସହ ଯୋଗାଯୋଗ କରି ମ୍ୟାନେଜମେଂଟ କୋଟାରେ ନାଁ ଲେଖାଇବା ପାଇଁ ଦେଉଥିଲେ ପ୍ରତିଶ୍ରୁତି ଏବଂ ପିଲା ପିଛା ଦାବି କରୁଥିଲେ କୋଟିଏ ଟଙ୍କା । କାଁ ଭାଁ କେତେ ଜଣଙ୍କୁ ବିଭିନ୍ନ ଘରୋଇ ମେଡିକାଲ କଲେଜରେ ନାଁ ଲେଖାଇ ଦେଉଥିଲେ ସୋମ୍ୟରଂଜନ । କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ସେ ଏଭଳି ଢଙ୍ଗରେ ୧୦ କୋଟିରୁ ଅଧିକ ଠକେଇ ହୋଇଥିବା ଜଣାପଡିଛି । ଯେଉଁଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ସୌମ୍ୟକାନ୍ତଙ୍କ ନାଁରେ ମାମଲା ରହିଛି ।

ଠକେଇ କରୁଥିବା ସୌମ୍ୟକାନ୍ତଙ୍କୁ ରିମାଣ୍ଡରେ ଆଣିବା ପରେ ଏହି ରାକେଟ ପଛର ଅନକେ ଗୁମର ଫିଟିବ ବୋଲି ଆଶା କରାଯାଉଛି । ଏହି ଠକେଇ ପଛରେ ଆଉ କାହାର ହାତ ରହିଛି ଓ ଦେଶରେ କେତେ ପିଲାଙ୍କୁ ଏଭଳି ଠକେଇର ଶିକାର ସୌମ୍ୟକାନ୍ତ କରିଛନ୍ତି ତାହା ଉପରୁ ପରଦା ହଟିବ ।