ଓଡ଼ିଶାରେ ପୁଣି ଫେରିଲା ମାସ୍କ କଟକଣା : ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

241

କନକ ବ୍ୟୁରୋ : ପୁଣି ଓଡ଼ିଶାରେ ଫେରିଲା ମାସ୍କ କଟକଣା । ହସ୍ପିଟାଲ୍ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶା ସମେତ ଦେଶର ବିଭିନ୍ନ ରଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟର ସମସ୍ତ ମେଡିକାଲ୍ କଲେଜ, କ୍ୟାପିଟାଲ୍ ହସ୍ପିଟାଲ ସମେତ ସବୁ ହସ୍ପିଟାଲ ଗୁଡିକୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ଡିଏମଇଟି । ଡାକ୍ତର, ନର୍ସ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବେ ।

ମିଟିଂ ସମୟରେ ଅଧିକାରୀଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ବାଧ୍ୟ । ବନ୍ଦ କୋଠରୀରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ । ଲାବୋରେଟୋରୀ ଟେକ୍ନିସିଆନଙ୍କ ସମେତ ସେବା ଯୋଗାଉଥିବା ସମସ୍ତ ବ୍ୟକ୍ତି ମାସ୍କ ପରିଧାନ କରିବେ । ଯେଉଁ ସ୍ଥାନରେ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି, ସେହି ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯେଉଁ ବ୍ୟକ୍ତିଙ୍କ ଠାରେ ଥଣ୍ଡା, କାଶ ଭଳି ଲକ୍ଷଣ ରହିଥିବା ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ହସ୍ପିଟାଲରେ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।