୫ ଦେଶରେ କରୋନା ସଂକ୍ରମଣ ବୃଦ୍ଧି । ଭାରତରେ ବାଜିଲା ସତର୍କ ଘଣ୍ଟି । ରାଜ୍ୟମାନଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

231

କନକ ବ୍ୟୁରୋ: କରୋନାକୁ ନେଇ ପୁଣି ସଜାଗ ଭାରତ ସରକାର । ଜାପାନ, ଆମେରିକା, ଚୀନ, ବ୍ରାଜିଲ ଓ କୋରିଆରେ ସଂକ୍ରମଣ ବଢୁଥିବାବେଳେ ଏବେ ଦେଶରେ ଆଲର୍ଟ ଜାରି କରାଯାଇଛି । ବୁଧବାର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ବିଭିନ୍ନ ଦେଶରେ ବଢୁଥିବା କରୋନା ସଂକ୍ରମଣ ଉପରେ ବୈଠକରେ ଆଲୋଚନା କରାଯାଇଛି । ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ. ଦେଶ ଦୁନିଆରୁ କରୋନା ଶେଷ ହୋଇନି । ତେଣୁ ସଜାଗ ରହିବାକୁ ପଡିବ । ସରକାର ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ଥିିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ନୀତି ଆୟୋଗ ସଦସ୍ୟ ଭି,କେ ପଲ ପରାର୍ମଶ ଦେଇ କହିଛନ୍ତି ଯେ ଯେ ଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ । ଯେଉଁମାନେ ବୟସ୍କ ଓ ଏକାଧିକ ରୋଗରେ ଆକ୍ରାନ୍ତ ସେମାନେ ଅଧିକ ସଜାଗ ରହିବା ଜରୁରୀ ।

ସେ ଏକଥାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଯେ ଏବେ ସୁଦ୍ଧା ଦେଶରେ କେବଳ ୨୮ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ଯଥାଶୀଘ୍ର ବୁଷ୍ଟର ଡୋଜ ସମସ୍ତେ ନେବାକୁ ଅପିଲ କରିଛନ୍ତି । ବୟସ୍କ ବ୍ୟକ୍ତିମାନେ ବିଳମ୍ବ ନକରି ବୁଷ୍ଟର ଡୋଜ ନେବା ଜରୁରୀ ବୋଲି ସେ କହିଛନ୍ତି । ଏଥିସହ ଭିକେ ପଲ କହିଛନ୍ତି ଯେ ଦେଶରେ ଆବଶ୍ୟକ ଅନୁସାରେ କରୋନା ପରୀକ୍ଷା କରାଯାଉଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହରେ କରୋନା ସମୀକ୍ଷା ବୈଠକ କରାଯିବ ।

ଅନ୍ୟପଟେ ମଙ୍ଗଳବାର ଦିନ ନମୁନାକୁ ଜେନମ ସିକ୍ୱେନ୍ସ ପାଇଁ ପଠାଇବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ସମୟ ପୂର୍ବରୁ ନୂଆ ଭାରିଆଣ୍ଟ ସମ୍ପର୍କରେ ଜଣାପଡିବ ବୋଲି କୁହାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଭିତରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦାର ପୁନାୱାଲା ଏକ ଟୁଇଟ କରିଛନ୍ତି । ପୁନାୱାଲା କହିଛନ୍ତି ଯେ ଚୀନର ସ୍ଥିତିକୁ ଦେଖି ଭୟଭୀତ ହେବାର ଆବଶ୍ୟକତା ନାହିଁ । କାରଣ ଦେଶରେ ଶତ ପ୍ରତିଶତ ଟିକାକରଣ ସରିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି

• ଭାରତ ସରକାର କରୋନାର ପୂର୍ବ ଭାରିଆଣ୍ଟକୁ ଦେଖି ଟିକା ପ୍ରସ୍ତୁତ କରିଥିଲେ

• ସଫଳତାର ସହ ଶତ ପ୍ରତିଶତ ଟିକାକରଣ ମଧ୍ୟ କରାଯାଇଛି

• ଯଦି କରୋନା ଭାରିଆଣ୍ଟ ନିଜର ମ୍ୟୁଟାଣ୍ଟ ପରିବର୍ତ୍ତନ କରୁଛି ତେବେ କଣ ଏହି ଟିକା କାମ ଦେବ?

• ଯଦି ନୂଆ ଭାଇରସ ଅଧିକ ଘାତକ ହୁଏ ତେବେ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ଓ ଆବଶ୍ୟକୀୟ ଟିକା ଉପଲବ୍ଧ ରହିବ ନା ନାହିଁ ?

• ଯଦି ଆଗକୁ ସ୍ଥିତି ଅଣଅଣାୟତ୍ତ ହୁଏ ତେବେ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ କି?