ମୁମ୍ବାଇରେ ଗୋଟିଏ ଦିନରେ ୮ ହଜାର ସଂକ୍ରମିତ ଚିହ୍ନଟ ତ ଦିଲ୍ଲୀରେ ୩ ହଜାର ପାର, ହରିଆଣାରେ ଶିକ୍ଷାନୁଷ୍ଠାନ ବନ୍ଦ କଲେ ସରକାର

106

କନକ ବ୍ୟୁରୋ : କରୋନା ଭୁତାଣୁର ତୃତୀୟ ଲହର ସହ ଓମିକ୍ରନ ଭାରିଆଣ୍ଟ ଆଜିକା ଦିନରେ ଚିନ୍ତାର ବିଷୟ ପାଲଟିଛି । ଏନେଇ ଦେଶରେ ସରକାର ସତର୍କ ହେବା ସହ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ହରିଆଣା ସରକାର ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରୀ ୩ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମହାରାଷ୍ଟ୍ର ସରକାରଙ୍କ କୋଭିଡ ଟାକ୍ସଫୋର୍ସ ସଦସ୍ୟ ଶଶାଂଙ୍କ ଜୋଶୀ କହିଛନ୍ତି କି ମୁମ୍ବାଇରେ କରୋନା ସଂକ୍ରମଣ ବିସ୍ଫୋଟକ ରୂପ ନେଇଛି । ଏଠାରେ ଗତ ୨୪ ଘଂଟା ମଧ୍ୟରେ ୮ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦ ହଜାର ପାର କରିପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଯଦି ଦିଲ୍ଲୀ କଥା କହିବା ତେବେ ଦିଲ୍ଲୀରେ ଏବେ କରୋନା ସଂକ୍ରମିତ ଆକ୍ଟିଭ ମାମଲା ୬୩୬୦ ରେ ପହଂଚିଛି । ୩ ଦିନ ପୂର୍ବରୁ ଏହି ସଂଖ୍ୟା ୨୨୯୧ ଥିଲା । ତିନିଦିନରେ ୩ ଗୁଣା ଆକ୍ଟିଭ ମାମଲା ବଢିବା ପରେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିନ୍ତା ପ୍ରକଟ କରିଛନ୍ତି ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ତୃତୀୟ ଲହର ଆସିଯାଇଥିବା କଥା ଅନୁମାନ କରିଛନ୍ତି ବିଶେଷଜ୍ଞମାନେ । ଏନେଇ ଲୋକମାନଙ୍କ କୋଭିଡ କଟକଣା ମାନିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କହିରଖୁ କି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ପରିସଂଖ୍ୟାନ ମୁତାବକ ଏବେ ୨୩ ରାଜ୍ୟରୁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୬୦ ଜଣ ସୁସ୍ଥ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ଏହି କ୍ରମରେ ସବୁଠୁ ଅଧିକ ୪୬୦ ଜଣ ଓମିକ୍ରନ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ।