ଦେଶର ୩୫ଟି ସହରରେ କଂଗ୍ରେସର ଆନ୍ଦୋଳନ : ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଏକାଠି ହେଲେ ୧୮ ବିରୋଧୀଦଳ; ସାମିଲ ହେଲାନି ଉଦ୍ଧବ ଗୋଷ୍ଠୀ

138

କନକ ବ୍ୟୁରୋ : ଆଜି ଏବଂ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦେଶର ବଡ ବଡ ୩୫ ସହରରେ ପ୍ରତିବାଦ କରାଯିବ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ବିଭିନ୍ନ ସହରକୁ କଂଗ୍ରେସର ପ୍ରମୁଖ ନେତା ମାନେ ଯିବେ । ଆଉ ଆନ୍ଦୋଳନରେ ସାମିଲ ହେବେ । ଆସନ୍ତାକାଲି ଭୁବନେଶ୍ୱର ସମେତ ୩୧ ସହରରେ ପ୍ରତିବାଦ ହେବ ।

ରାହୁଲ ଗାନ୍ଧୀ ଲୋକସଭା ସଭ୍ୟ ପଦ ହରାଇବା ପରେ ଏହାକୁ ନେଇ କଂଗ୍ରେସ ପ୍ରତିବାଦ ଜାରି ରଖିଛି । ଆନ୍ଦୋଳନ ବେଳେ ରାହୁଲ ଗାନ୍ଧୀ ପ୍ରସଙ୍ଗ ସହ ନୀରବ ମୋଦୀ ଏବଂ ଲଳିତ ମୋଦୀଙ୍କୁ କ୍ଲିନ ଚିଟ୍ ଦେବା ପ୍ରସଙ୍ଗ ମଧ୍ୟ କଂଗ୍ରେସ ଉଠାଇବ ବୋଲି କହିଛି । ଆଜି ଲକ୍ଷ୍ନୌ, ଜାମ୍ମୁ-କାଶ୍ମୀର ହାଇଦ୍ରାବାଦ, ଚଣ୍ଡିଗଡରେ କଂଗ୍ରେସ ଆନ୍ଦୋଳନ କରିବା ସହିତ ସାମ୍ବାଦିକ ସମ୍ମିଳନୀ କରିବ ।

ବିରୋଧୀଙ୍କୁ ଏକାଠୀ କରିଦେଲା ରାହୁଲ ଗାନ୍ଧୀ ପ୍ରସଙ୍ଗ । ଜଣେ ଆଉ ଜଣଙ୍କୁ ବିରୋଧ କରୁଥିବା ଦଳ ଓ ନେତା, ଏବେ ରାହୁଲଙ୍କ ପାଇଁ ଏକାଠି ହେଉଛନ୍ତି । ରାହୁଲଙ୍କ ସମର୍ଥନ ପାଇଁ ଖଡ୍୍ଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଡିଏମକେ, ସପା, ଜେଡିୟୁ, ବିଆରଏସ୍, ସିପିଏମ୍, ଆରଜେଡି, ଏନସିପି, ସିପିଆଇଏମ୍ ଦଳ ସାମିଲ ହୋଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି- ମମତା ବାନାର୍ଜୀଙ୍କ ଟିଏମ୍ସିର ଭୂମିକା । କଂଗ୍ରେସର ବ୍ଲାକ୍ ପ୍ରୋଟେଷ୍ଟକୁ ସମର୍ଥନ ଜଣାଇଛି ତୃଣମୂଳ କଂଗ୍ରେସ । ରାହୁଲଙ୍କ ସବରକର ମନ୍ତବ୍ୟକୁ ବିରୋଧ କରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବୈଠକରେ ସାମିଲ ହୋଇନାହିଁ । ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର, ବାଜପେୟୀଙ୍କ ଶବ୍ଦକୁ ଉଦ୍ଧାର କରି କହିଛନ୍ତି- ଛୋଟେ ମନ୍ ସେ କୋଇ ବଡ଼ା ନେଇ ହୋତା । କିନ୍ତୁ ବଡ଼ କଥା ହେଉଛି, ବିଜୁ ଜନତା ଦଳ ଏବଂ ଜଗନମୋହନ ରେଡ୍ଡିଙ୍କ ୱାଏସଆର୍ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରିନି ।