ସଂସଦ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ । କହିଲେ, ସତ କହିବାରୁ ମିଳିଲା ଦଣ୍ଡ

576

କନକ ବ୍ୟୁରୋ : ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଶନିବାର ଦିନ ସରକାରୀ ବଙ୍ଗଳା ଖାଲି କରିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ । ଏହାସହ ତୁଗଲକ ଲେନରେ ଥିବା ବଙ୍ଗଳା ଖାଲି କରି ସେ ଏହାର ଚାବି ଅଧିକାରୀଙ୍କୁ ଦେଇଛନ୍ତି । ଗତ ୧୯ବର୍ଷ ଧରି ସେ ସେହି ଘରେ ରହୁଥିଲେ ।

ବଙ୍ଗଳା ଖାଲି କରିବା ପରେ ରାହୁଲ ଗାନ୍ଧୀ କହିଛନ୍ତି କି ସତ୍ୟ କହିବାରୁ ତାର ମୂଲ୍ୟ ଦେବାକୁ ପଡିଛି । ଏହାସହ ହିନ୍ଦୁସ୍ତାନର ଜନତା ତାଙ୍କୁ ୧୯ ବର୍ଷ ଧରି ରହିବାକୁ ଘର ଦେଇଥିବାରୁ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେପଟେ ରାହୁଲ ଗାନ୍ଧୀଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି, ମୋ ଭାଇ ଯାହା କହିଛନ୍ତି ତାହା ସତ୍ୟ, ସେ ସରକାରଙ୍କ ବିରୋଧରେ କହିବାରୁ ଏଭଳି ଘଟିଲା, ସେ ଅଦମ୍ୟ ସାହାସର ଅଧିକାରୀ ଓ ମୁଁ ତାଙ୍କ ସହିତ ରହିଛି ବୋଲି ପ୍ରିୟଙ୍କା କହିଛନ୍ତି ।

ସୂତ୍ର ସୂଚନା ମୁତାବକ ସରକାରୀ ବଙ୍ଗଳା ଖାଲି କରିବା ପରେ ଏବେ ରାହୁଲ ଗାନ୍ଧୀ ତାଙ୍କ ମା ତଥା କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ୧୦-ଜନପଥ ସ୍ଥିତ ଆବାସରେ ରହିବେ । ସୂଚନା ଥାଉକି ସରକାରୀ ବଙ୍ଗଳା ଖାଲି କରିବା ପୂର୍ବରୁ ଏପ୍ରିଲ ୧୪ ତାରିଖରେ ରାହୁଲ ଗାନ୍ଧୀ ତାଙ୍କର କିଛି ନିତ୍ୟାବଶକୀୟ ସାମଗ୍ରୀ ସୋନିଆ ଗାନ୍ଧୀଙ୍କ ଆବାସକୁ ନେଇଯାଇଥିଲେ ।