ପରିକ୍ରମା ପ୍ରକଳ୍ପକୁ ଏନଏମଏର ସର୍ତ୍ତମୂଳକ ଏନଓସି। ନିଷିଦ୍ଧାଞ୍ଚଳ ବାହାରେ ହେବ ଅଭ୍ୟର୍ଥନା କକ୍ଷ। 

86

କନକ ବ୍ୟୁରୋ:  ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷରେ ଅନୁମତି ଦେଇଛନ୍ତି ଏନଏମଏ ବା ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟୀ । ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ନିର୍ମାଣକାରୀ ସଂସ୍ଥାକୁ ଅନୁମତି ଦେଇଥିଲେ ବି କେତେକ ସର୍ତ୍ତ ରଖିଛନ୍ତି । ଆଉ ସେହି ସର୍ତ ଅନୁସାରେ କାମ କରିବାକୁ କହିଛନ୍ତି ।

ନଜର ପକାନ୍ତୁ ଏନଏମଏ ପକ୍ଷରୁ ଦିଆଯାଇଥିବା ଏନଓସି ଉପରେ । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି କେଉଁ ନିର୍ମାଣ ହୋଇପାରିବ ଓ କେଉଁ ନିର୍ମାଣ ହୋଇପାରିବ ନାହିଁ ।

କେଉଁ ନିର୍ମାଣକୁ ଏନଏମର ଅନୁମତି? 

– ନିଷିଦ୍ଧାଞ୍ଚଳରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲଟର ପାଭିଲିଅନ, ଇଲେକ୍ଟ୍ରିକାଲ ରୁମ୍  

– ପଶ୍ଚିମଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ୍ 

– ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଶ୍ରାମଗାର ନିର୍ମାଣ ହୋଇପାରିବ । କିନ୍ତୁ ଯେମିତି ମୁଖ୍ୟ କୀର୍ତ୍ତୀରାଜି ସ୍ପଷ୍ଟ ଦେଖାଯିବ, ସେଥିପାଇଁ ବିଶ୍ରାମଗାରର ଉଚ୍ଚତା କମ୍ ରଖିବାକୁ କୁହାଯାଇଛି । 

– ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ ପାଇଁ ଅନୁମତି । କିନ୍ତୁ ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ହେବ । ଏହାର ଉଚ୍ଚତା ସର୍ବାଧିକ ୭ ଦଶମିକ ୫ମିଟର ରଖିବାକୁ କୁହାଯାଇଛି । 

କଣ କରିପାରିବେ ନାହିଁ? 

-ସୂଚନା କେନ୍ଦ୍ର, ହୁଣ୍ଡି, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୋଲିସ ସେବା କେନ୍ଦ୍ର ଓ ଏଟିଏମ ନିଷିଦ୍ଧାଞ୍ଚଳ ବାହାରେ କରିବାକୁ କୁହାଯାଇଛି । 

– ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ୨ ମହଲାରୁ ଅଧିକ ହୋଇପାରିବ ନାହିଁ 

– ଅଭ୍ୟର୍ଥନା କକ୍ଷ ମନ୍ଦିରଠାରୁ ୧୦୧ ଦଶମିକ ୫୦ ମିଟର ଦୂରତାରେ ରହିବ

– ଶ୍ରୀମନ୍ଦର ପ୍ରଶାସନିକ କାର୍ଯ୍ୟାଳୟ ନିଷିଦ୍ଧାଞ୍ଚଳ ବାହାରେ ହେବ । ଏହାର ଉଚ୍ଚତା ମଧ୍ୟ ୭ଦଶମିକ ୫ ମିଟରରୁ ଅଧିକ ହୋଇପାରିବ ନାହିଁ । ତେବେ କାର୍ଯ୍ୟାଳୟ ନିର୍ମାଣ ପାଇଁ ପୁଣି ଥରେ ଏନଓସି ଆବେଦନ କରିବାକୁ ପଡିବ

– ବଡଛତା ମଠ, ଛାଉଣୀ ମଠରେ କୌଣସି ମରାମତି ଓ ନିର୍ମାଣ କାର୍ଯ୍ୟ ବର୍ତମାନ ହୋଇପାରିବ ନାହିଁ 

– ନିର୍ମାଣ କାର୍ଯ୍ୟରେ ବଡ଼ ମେସିନ୍ ବ୍ୟବହାର ନିଷେଧ

– ଖୋଳିବା ପାଇଁ ମେସିନ୍ ବ୍ୟବହର ଉପରେ କଟକଣା

– ପାରମ୍ପରିକ ଶୈଳୀରେ ହେବ ଖୋଳିବା କାମ

ଏନଏମଏର ଏନଓସିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନଏମଏ ପ୍ରକଳ୍ପ ସପକ୍ଷବାଦୀ ଓ ବିରୋଧୀଙ୍କୁ ସୁହାଇଲା ଭଳି ଅନୁମତି ଦେଇଥିବାରୁ ଉଭୟ ପକ୍ଷ ଦାବି କରିଛନ୍ତି ସେମାନଙ୍କ କଥା ରହିଲା । ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ପରେ ଶ୍ରୀମନ୍ଦିର ପ୍ରଶାସନ ଅଭ୍ୟର୍ଥନା କକ୍ଷର ନିର୍ମାଣ ସ୍ଥାନକୁ ପରିବର୍ତନ କରିଥିଲେ । ନିଷେଧାଞ୍ଚଚଳରୁ ଘୁଞ୍ଚାଇ ଶହେ ମିଟର ବାହାରେ କରିବା ପାଇଁ ନିଷ୍ପତି ନେଇଥିଲେ । ଆଉ ଏଥିପାଇଁ ଏନଏମର ଅନୁମତି ମାଗିଥିଲେ । ଆଉ ଶ୍ରୀମନ୍ଦିର ପ୍ରଶାସନର ଆବେଦନ ଅନୁସାରେ ଅନୁମତି ଦେଇଛି ଏନଏମଏ । କିନ୍ତୁ ସୁରକ୍ଷା ଦୃଷ୍ଟିରେ ଅଧିକ ଉଚ୍ଚ ନକରିବାକୁ କହିଛନ୍ତି ।