ଗର୍ଭବତୀ ମହିଳାମାନେ ଏସବୁ ସଂକେତକୁ ନକରନ୍ତୁ ଅଣଦେଖା, ଉଭୟ ମା ଓ ପିଲା ଉପରେ ପଡିବାରେ ଖରାପ ପ୍ରଭାବ

233

କନକ ବ୍ୟୁରୋ : ଗର୍ଭ ଅବସ୍ଥାରେ ପ୍ରତ୍ୟେକ ମହିଳା ନିଜର ସ୍ୱତନ୍ତ୍ର ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ବିଶେଷ କରି ଗର୍ଭଧାରଣର ପ୍ରଥମ ମାସ ଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ସମୟ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ନିଜର ପିଲାର ବିକାଶ ପାଇଁ ମହିଳାମାନେ ଖାଦ୍ୟ ପାନୀୟ ଓ ଔଷଧ ଉପରେ ଧ୍ୟାନ ରଖିବା ନିହାତି ଜରୁରୀ । ସମୟ ଅନୁସାରେ ଡାକ୍ତରଙ୍କ ପରାମର୍ଶ, ବିଭିନ୍ନ ପରୀକ୍ଷା କରି ଗର୍ଭରେ ପିଲାର ସ୍ଥିତି ଓ ନିଜର ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ସୂଚନା ଜାଣିବା ଓ କିଛି ଅସୁବିଧା ଥିଲେ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ଖାଇବା ହେଉଛି ବୁଦ୍ଧିମତାର କାମ । ହେଲେ ଗର୍ଭ ଅବସ୍ଥାରେ ମହିଳାମାନଙ୍କ ଠାରେ କିଛି ସ୍ୱତନ୍ତ୍ର ଲକ୍ଷଣ ଦେଖିବାକୁ ମିଳିଥାଏ । ଏସବୁକୁ ଅଣଦେଖା କଲେ ଭବିଷ୍ୟତରେ ଆପଣ ଅସୁବିଧାରେ ପଡିପାରନ୍ତି ।

ଗର୍ଭବତୀ ମହିଳାମାନେ ଅନେକ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ବିଶେଷ କରି ଡେଲିଭରୀ ସମୟ ପାଖେଇ ଆସିଲେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ହେଲେ କିଛି ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ବାରମ୍ବାର ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କର ପ୍ରତି ଘଂଟାରେ ୬ ଥରରୁ ଅଧିକ ପେଟ ଯନ୍ତ୍ରଣା ହେଉଛି ତେବେ ଏହା ସମୟ ପୂର୍ବରୁ ଡେଲିଭରୀର ଏକ ସଂକେତ ହୋଇପାରେ । ଏଭଳି ସ୍ଥିତିରେ ଅପେକ୍ଷା ନକରି ତୁରନ୍ତ ଡାକ୍ତରଙ୍କୁ ସଂପର୍କ କରନ୍ତୁ ।

ଜଣେ ଗର୍ଭବତୀ ମହିଳାଙ୍କ ପେଟରେ ଥିବା ପିଲାଟି ୨୮ ସପ୍ତାହ ପରେ ଚଳଚଞ୍ଚଳ ହୋଇଥାଏ । ମାତ୍ର ୨୮ ସପ୍ତାହ ପରେ ପେଟ ଭିତରେ ପିଲାଟି ଏତେ ଚଳଚଞ୍ଚଳ ହୋଇଉଠେ ଯେ ଆପଣ ତାର ଗତିକୁ ଅନୁଭବ କରିପାରିବେ । ଏହି ସମୟରେ ଗର୍ଭବତୀ ମହିଳା ଜଣଙ୍କ ପିଲାର ମୁଭମେଣ୍ଟ ଉପରେ ନଜର ରଖିବା ନିହାତି ଜରୁରୀ । ଯଦି ଆପଣଙ୍କୁ ଲାଗୁଛି ଯେ ପିଲାଟି ଠିକରେ ମୁଭମେଣ୍ଟ କରିପାରୁନି ତେବେ ଚିନ୍ତା ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଗର୍ଭଧାରଣ ସମୟରେ ଅନେକ ମହିଳାଙ୍କ ଶରୀରରେ ରକ୍ତଶର୍କରା କମ ବା ଅଧିକ ହୋଇଥାଏ । ଏଣୁ ଗର୍ଭ ଅବସ୍ଥାରେ ରୁଟିନ ଚେକଅପ୍ କ୍ରମରେ ରକ୍ତ ଶର୍କରା ପରୀକ୍ଷା କରାଇବା ନିହାତି ଜରୁରୀ । ଯଦି ହଠାତ ଆପଣଙ୍କ ଶରୀରରେ ରକ୍ତ ଶର୍କରା କମ ବା ଅଧିକ ହୋଇଯାଏ ତେବେ ଏହାର ପ୍ରଭାବ ସିଧାସଳଖ ଭାବେ ଗର୍ଭରେ ଥିବା ପିଲା ଉପରେ ପଡିଥାଏ ।