କୋଲକାତାରେ କମେଡି କିଙ୍ଗ ପପୁ ପମପମ : ରାଜ୍ୟ ବାହାରେ ଲୁଚିଥିବା ନେଇ ଚର୍ଚ୍ଚା

83

କନକ ବ୍ୟୁରୋ : ନାବାଳିକାଙ୍କ ଠାରୁ ଆରମ୍ଭ କରି କିଛି ନବାଗତାଙ୍କ କାଷ୍ଟି କାଉଚ୍ ଅଭିଯୋଗ ପରେ କମେଡି କିଙ୍ଗ ପପୁ ପମପମ ଫେରାର । କୁଆଡେ ଗଲେ ପପୁ, ତାଙ୍କର ପତା ମିଳୁନାହିଁ । ଗିରଫ ଭୟରେ ପପୁ କୁଆଡେ ଚାଲିଯାଇଥିବା କୁହାଯାଉଛି । ଚର୍ଚ୍ଚାହେଉଛି ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ପପୁ ପମପମ ଓରଫ ତତ୍ୱପ୍ରକାଶ ଶତପଥୀ । ଏପରିକି ଏହି କଳଙ୍କିତ କମେଡିଆନ୍ ଗିରଫଦାରିକୁ ଏଡାଇବା ପାଇଁ କୋଲକାତାରେ ଲୁଚିଛନ୍ତି ବୋଲି ଆଲୋଚନା ହେଉଛି । ତେବେ ଏହି ଘଟଣା ସାରା ରାଜ୍ୟରେ ହଲଚଲ ସୃଷ୍ଟି କରିଥିବା ବେଳେ ପପୁଙ୍କ ଗିରଫ ଦାବି କରି ରାସ୍ତାକୁ ଓହ୍ଲାଇଛି ବିରୋଧୀ ଦଳ । ଏସବୁ ଚାପ ଭିତରେ ପପୁଙ୍କୁ ଚାରିଆଡେ ଖୋଜୁଛି ପୁଲିସ । କିନ୍ତୁ ପାଉନି ପପୁଙ୍କ ପତା । କାହିଁକି ଭୟ କରୁଛନ୍ତି ପପୁ । କାରଣ ତାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ମାମଲା । ଯୌନ ଶୋଷଣର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନାବାଳିକା ।

ଭୁବନେଶ୍ୱର ମହିଳା ଥାନାରେ ଲାଗିଥିବା ମାମଲାରେ ପପୁଙ୍କ ବିରୋଧରେ ଲାଗିଛି ଭାରତୀୟ ପିଙ୍ଗଳ କୋଡର ଦଫା ୩୫୪(ଏ), ଅର୍ଥାତ ମହିଳାଙ୍କୁ ଅସଦାଚରଣ ବା ଅଶ୍ଲୀଳ ବ୍ୟବହାର କରିବା, ତାଙ୍କ ବିରୋଧରେ ଲାଗିଛି ଆଉ ଏକ ଦଫା ୫୦୬ ଅର୍ଥାତ ହତ୍ୟା ଧମକ ଦେବା ବା ଜୀବନରୁ ମାରିଦେବା ଉଦେଶ୍ୟରେ କାର୍ଯ୍ୟ କରିବା । ସେହିଭଳି ଦଫା ୫୦୯ ଅର୍ଥାତ ଖରାପ ଭାଷାରେ ଗାଳି ଗୁଲଜ କରିବା । ଦଫା ୩୪ ଏକାଧିକ ଲୋକ ମନ୍ଦ ଉଦେଶ୍ୟ ନେଇ କୌଣସି କାମ କରିବା । ଏଭଳି ଦଫା ଲାଗିବା ପରେ, ଯଦି ପପୁ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ୮ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିପାରେ । ସେପଟେ କମିଶନରେଟ୍ ପୁଲିସ କହୁଛି, ପ୍ରଥମେ ତାଙ୍କୁ ନୋଟିସ ଜାରି କରାଯିବ ଏବଂ ଯଦି ସେ ଏହାକୁ ବେଖାତିର କରିବେ ତେବେ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିବେ । ତେବେ ପ୍ରଶ୍ନ ଉଠୁଛି ପପୁଙ୍କୁ ପୁଲିସ ଖୋଜି ପାଉନି ନା ବିଜେଡିର ଏହି ଷ୍ଟାର କ୍ୟାମ୍ପେନରଙ୍କୁ ଘଂଟ ଘୋଡାଉଛନ୍ତିି ?