ବରିଷ୍ଠ ବିଜେପି ନେତାଙ୍କ ପାଦ ଧୋଇଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଭିଡ଼ିଓ ହେଲା ଭାଇରାଲ, ଜାଣନ୍ତୁ ପୂରା ଘଟଣା କଣ?

143

କନକ ବ୍ୟୁରୋ :ଆସମର ଗୌହାଟୀରେ ବିଜେପିର ନୂଆ ଦଳୀୟ କାର୍ଯ୍ୟାଳୟର ଉଦଘାଟନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନୂଆ କାର୍ଯ୍ୟାଳୟର ଉଦଘାଟନ ହୋଇଛି । ତେବେ ଏହି ଉଦଘାଟନ ସମାରୋହରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଉଦଘାଟନ ଉତ୍ସବରେ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ପାଦ ଧୋଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେହି ସବୁ ବିଜେପି କର୍ମକର୍ତ୍ତାଙ୍କ ପାଦ ଧୋଇଥିଲେ ଯେଉଁମାନେ ୧୯୯୦ ପୂର୍ବରୁ ଦଳ ସହ ଯୋଡି ହୋଇଥିଲେ ଓ ଆସାମରେ ଦଳକୁ ସଙ୍ଗଠିତ କରିଥିଲେ । ଏଭଳି ୭୫ ଜଣ ବରିଷ୍ଠ ବିଜେପି ନେତାଙ୍କ ପାଦ ଧୋଇଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ବିଜେପିର ଅନ୍ୟ ନେତା । ରାଜ୍ୟରେ ବିଜେପିର ସତ୍ତା ନଥିବା ବେଳେ ଏହି ବରିଷ୍ଠ ନେତା ମାନେ ଦଳକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ବରିଷ୍ଠ ନେତାଙ୍କୁ ଏଭଳି ସମ୍ମାନ ଦେଇ ଏବେ ସମସ୍ତଙ୍କର ମନ ଜିଣିଛନ୍ତି ବିଶ୍ୱଶର୍ମା ।

ଅନ୍ୟପଟେ ଆସାମ ଗସ୍ତରେ ଯାଇଥିବା ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କେବଳ ଦଳର ରାଜ୍ୟ କାର୍ଯ୍ୟାଳୟ ଉଦଘାଟନ କରିନାହାନ୍ତି ବରଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆସାମର ୯ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟର ଶିଳାନ୍ୟାସ କରିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହା ୭୫ଟି ମଣ୍ଡଳ କାର୍ଯ୍ୟାଳୟର ଶିଳାନ୍ୟାସ କରିବେ ।