ଘରୋଇ ବ୍ୟାଙ୍କଗୁଡିକ ପ୍ରତି ସରକାରୀ ଅଧିକାରୀଙ୍କ ମୋହ । ସରକାରୀ ଜମା ରଖିବାକୁ ଘରୋଇ ବ୍ୟାଙ୍କ ଅଗ୍ରାଧିକାର !

128

କନକ ବ୍ୟୁରୋ: ରାଜ୍ୟ ବିକାଶରେ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଏ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡିକର ଭୂମିକା ନଗଣ୍ୟ । ଏହା ବିଭିନ୍ନ ସମୀକ୍ଷା ବୈଠକରେ ପ୍ରତିଫଳିତ ହୋଇଛି । ତାସତ୍ତ୍ୱେ ସରକାରୀ ଅଧିକାରୀମାନଙ୍କ ଘରୋଇ ବ୍ୟାଙ୍କ ପ୍ରୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଘରୋଇ ବ୍ୟାଙ୍କ ପରିବର୍ତ୍ତେ ରାଷ୍ଟାୟତ୍ତ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିବାକୁ ସେ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ଚାଷୀଙ୍କୁ ହେଉ କିମ୍ବା ବିଭିନ୍ନ ଏସଏଚଜି ମହିଳା ଗ୍ରୁପକୁ ଋଣପ୍ରଦାନ, ସବୁଥିରେ ଘରୋଇ ବ୍ୟାଙ୍କଗୁଡିକର ପ୍ରଦର୍ଶନ ନିରୁତ୍ସାହଜନକ ରହିଛି । ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ବି ଏମାନେ ବିଫଳ ହୋଇଛନ୍ତି । ଏଭଳି ସ୍ଥଳେ ମୁଖ୍ୟ ସଚିବଙ୍କ ପରାମର୍ଶକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ରାଜ୍ୟରେ ଚାଷୀମାନଙ୍କୁ ଯେତିକି ଋଣ ପ୍ରଦାନ କରାଯାଉଛି, ତାର ସିଂହଭାଗ ସମବାୟ ବ୍ୟାଙ୍କ ପ୍ରଦାନ କରୁଛି ।

– ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ପ୍ରଦର୍ଶନ ୫୫.୮୮% ପ୍ରତିଶତ ରହିଛି
-ଘରୋଇ ବ୍ୟାଙ୍କଗୁଡିକର ପ୍ରଦର୍ଶନ ରହିଛି ୧୫.୫୪%
-ମୋଟ ୧୧୦ ସିଙ୍ଗଲ ନୋଡାଲ ଆକାଂଉଟ ମଧ୍ୟରୁ ୮ ରାଷ୍ଟ୍ରାୟତ ବ୍ୟାଙ୍କରେ ଅଛି ୫୭ ଆକାଉଂଟ
– ୩ ଘରୋଇ ବ୍ୟାଙ୍କରେ ବାକି ୫୩ ଆକାଂଉଟ
– କିଛି ବିଭାଗ ଆଇସିଆଇସିଆଇ, ଏଚଡିଏଫସି ଓ ଆକ୍ସିସ୍ ବ୍ୟାଙ୍କରେ ଖୋଲିଛନ୍ତି ସମସ୍ତ ଆକାଉଂଟ

ମୁଖ୍ୟ ସଚିବ ଏହାକୁ ନେଇ ଅସନ୍ତୋଷ କରିବା ସହ କିଛି ନିର୍ଦ୍ଦିଷ୍ଟ ପରାମର୍ଶ ଦେଇଛନ୍ତି । ରାଷ୍ଟାୟତ ବ୍ୟାଙ୍କଗୁଡିକରେ ସରକାରୀ କାର୍ଯ୍ୟକ୍ରମ ବାବଦ ଅର୍ଥ ଓ କେନ୍ଦ୍ରୀୟ ଅନୁଦାନ ରାଶି ଜମା ରଖିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ ଜମାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଘରୋଇ ବ୍ୟାଙ୍କଗୁଡିକ ସରକାରୀ ଅଧିକାରୀଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରି ସରକାରୀ ଅର୍ଥ ସେମାନଙ୍କ ବ୍ୟାଙ୍କରେ ରଖିବାକୁ ସକ୍ଷମ ହେଉଛନ୍ତି । ମୁଖ୍ୟ ସଚିବଙ୍କ ଅସନ୍ତୋଷ ପରେ ଆଶା କରାଯାଉଛି, ଅଧିକାରୀଙ୍କ ଘରୋଇ ବ୍ୟାଙ୍କ ପ୍ରୀତି କମିବ ।