ଦେଶରେ ବୃଦ୍ଧି ପାଉଛି କିଶୋରୀ ମାଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିବାର ନିୟୋଜନ ଭିଜନ-୨୦୩୦ ରିପୋର୍ଟ ପ୍ରକାଶ।

201

କନକ ବ୍ୟୁରୋ: କିଶୋରୀ ଅବସ୍ଥାରେ ଗର୍ଭବତୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଭାରତକୁ ଚିନ୍ତାରେ ପକାଇ ଦେଇଛି । ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ପରିବାର ନିୟୋଜନ ଭିଜନ-୨୦୩୦ରେ କୁହାଯାଇଛି ଯେ ଭାରତରେ ପ୍ରଜନନ ହାର ସ୍ଥିର ଥିବା ବେଳେ କେତେକ କ୍ଷେତ୍ରରେ ଉଚ୍ଚ କିଶୋରୀ ପ୍ରଜନନ ସମସ୍ୟା ଚିନ୍ତା ବଢ଼ାଇ ଦେଇଛି । ତେବେ ଏହାର ସମାଧାନ ପାଇଁ ପରିବାର ନିୟୋଜନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୁଷମାନେ କିପରି ଅଧିକ ମାତ୍ରାରେ ଅଂଶଗ୍ରହଣ କରିବେ, ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ । ଏହାସହ ଗର୍ଭନିରୋଧକ ଅଭାବକୁ ଏକ ପ୍ରାଥମିକତା ଆହ୍ୱାନ କ୍ଷେତ୍ର ଭାବେ ଚିହ୍ନଟ କରାଯିବ ।

ବିବାହିତ ଓ ଯୁବତୀମାନଙ୍କ ମଧ୍ୟରେ କମ ଗର୍ଭନିରୋଧକ ବ୍ୟବହାରକୁ ବୁଝାଇ ଦେଉଥିବା ଏକାଧିକ କାରଣ ଚିହ୍ନଟ ହୋଇଛି । ଆଉ ଏହାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ବାଲ୍ୟ ବିବାହ ଓ କିଶୋରୀ ଗର୍ଭଧାରଣ । ଦେଶର ୧୧୮ଟି ଜିଲ୍ଲାରେ ଉଚ୍ଚ କିଶୋରୀ ଗର୍ଭଧାରଣର ଅଧିକ ପ୍ରତିଶତ ରିପୋର୍ଟ କରାଯାଇଛି । ମୁଖ୍ୟତଃ ବିହାରର ସର୍ବାଧିକ ୧୯ଟି ଜିଲ୍ଲା ଓ ପଶ୍ଚିମବଙ୍ଗର ୧୫ଟି ଜିଲ୍ଲା ରହିଛନ୍ତି । ସେହିପରି ଆସାମର ୧୩ଟି, ମହାରାଷ୍ଟ୍ରର ୧୩ଟି, ଝାଡ଼ଖଣ୍ଡର ୧୦ଟି, ଆନ୍ଧ୍ର ପ୍ରଦେଶର ୭ଟି, ତ୍ରିପୁରାର ୪ଟି ଜିଲ୍ଲା ଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଅଧିକନ୍ତୁ ଭାରତର ୪୪ ପ୍ରତିଶତରୁ ଅଧିକ ଜିଲ୍ଲାରେ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରୁଥିବା ମହିଳାମାନଙ୍କର ଅଧିକ ପ୍ରତିଶତ ରିପୋର୍ଟ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବିହାରରେ ସର୍ବାଧିକ ୧୭ଟି ଜିଲ୍ଲା ରହିଥିବା ବେଳେ ପଶ୍ଚିମବଙ୍ଗର ୮, ଝାଡ଼ଖଣ୍ଡର ୭ ଓ ଆସାମର ୪ଟି ଜିଲ୍ଲା ରହିଛନ୍ତି । ଉତର ପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରର ୨ଟି ଲେଖାଏଁ ଜିଲ୍ଲା ଏହି ତାଲିକାରେ ରହିଛନ୍ତି ।