ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଲାଞ୍ଚ କାରବାର ନେଇ ପଚରାଉଚରା ପରେ ଗିରଫ କଲା ସିବିଆଇ ।

319

କନକ ବ୍ୟୁରୋ : ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର । ପଚରାଉଚରା ପରେ ଚର୍ଚ୍ଚିତଙ୍କୁ ଗିରଫ କରିଛି ସିବିଆଇ । ଲାଞ୍ଚ କାରବାର ନେଇ ଅଭିଯୁକ୍ତଙ୍କ ତାଲିକାରେ ଥିଲା ଚର୍ଚ୍ଚିତଙ୍କ ନାଁ ।

ଆଜି ଭୋର ୪ଟା ବେଳେ ଚର୍ଚ୍ଚିତ ମିଶ୍ର, ସିବିଆଇ ଅଫିସରେ ହାଜର ହୋଇଥିଲେ । ଚର୍ଚ୍ଚତ ସିବିଆଇରେ ହାଜର ହେବା ପରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାରେ ଅଭିଯୁକ୍ତ ତାଲିକାରେ ରହିଛି ଚର୍ଚ୍ଚିତ ମିଶ୍ରଙ୍କ ନାଁ । ସେ ଫେରାର ଥିବା ନେଇ ଖବର ଆସିଥିଲା । ଏହା ପରେ ସେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସ୍ରେ ହାଜର ହୋଇଥିଲେ । ୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାର ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗତକାଲି ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, କେସିଟି ଗ୍ରୁପର ମ୍ୟାନେଜର ପୋର୍ଟ ଅପରେସନ ଶଙ୍ଖ ଶୁଭ ମିତ୍ର, ଠିକାଦାର ସୁମନ୍ତ ରାଉତ ଏବଂ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ସିବିଆଇ ଗିରଫ କରିଛି ।

ଏହା ସହ ଶିଳ୍ପପତି ମହିମା ମିଶ୍ରଙ୍କୁ ମଧ୍ୟ ଜେରା କରିଛି ସିବିଆଇ । ଗତକାଲି ରାତି ସାରା ମହିମା ମିଶ୍ରଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି । କୁହାଯାଉଛି ପାରାଦୀପ ବନ୍ଦରରେ ବ୍ୟବସାୟିକ କାରବାରରେ ଲାଂଚ ଦିଆନିଆ ନେଇ ସିବିଆଇ ପାଖରେ ପୂର୍ବରୁ ଖବର ଥିଲା । ଏହାର ପର୍ଦ୍ଦାଫାସ କରିବାକୁ ସିବିଆଇ ଏକ ଟିମ କରିଥିଲା । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଂଜିନିୟରଙ୍କ ସମେତ ଆହୁରି କିଛି ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ଆରମ୍ଭ ହୋଇଥିଲା । କଥାବାର୍ତା ବୁଝିବା ପାଇଁ ଟିମରେ ଜଣେ ଓଡିଆ ଅଧିକାରୀ ମଧ୍ୟ ସାମିଲ କରାଯାଇଥିବା ସୂଚନା ମିଳିଛି ।