ଆସନ୍ତାକାଲିଠୁ ମିଳିବ ମାଗଣା ବୁଷ୍ଟର ଡୋଜ : ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ରର ବଡ ନିଷ୍ପତ୍ତି

219

କନକ ବ୍ୟୁରୋ : ଜୁଲାଇ ୧୫ ତାରିଖରୁ ଦେଶରେ ଦିଆଯିବ ମାଗଣା ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଷ ବୟସ୍କ ଲୋକଙ୍କୁ ମାଗଣା ପ୍ରିକସନ ଡୋଜ ଦିଆଯିବ । ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ କେନ୍ଦ୍ରରେ ଏହି ପ୍ରକିସନ ଡୋଜ ଦିଆଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ପ୍ରିକସନ ଡୋଜ ପାଇଁ ଅର୍ଥ ଦେବାକୁ ପଡୁଥିବାରୁ ଲୋକେ ଆଗ୍ରହ ଦେଖାଉନଥିଲେ । ତେଣୁ କରୋନା ବିରୋଧୀ ମୁକାବିଲାକୁ ଗତି ଦେବାକୁ କେନ୍ଦ୍ର ସରକାର ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଓଡିଶାରେ ୧୮ ଲକ୍ଷ ୪୦ ହଜାର ୩୪୯ ଜଣ ପ୍ରିକସନ ଡୋଜ ନେଇଛନ୍ତି । ସେହିପରି ଦେଶରେ ୫ କୋଟି ୧ଲକ୍ଷ ୩୫ ହଜାର ୬୫ ଜଣ ବୁଷ୍ଟର ଡୋଜ ନେଇଛନ୍ତି । ତେଣୁ ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ସମସ୍ତ ସରକାରୀ ଟିକାଦାନ କେନ୍ଦ୍ରରେ ୧୮ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ସପ୍ତାହରେ କୋଭିଡ ଟିକା ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ନଅ ମାସରୁ ଛଅ ମାସକୁ ହ୍ରାସ କରିଥିଲା । ପ୍ରତିରୋପଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପର ସୁପାରିଶରେ ଏହା କରାଯାଇଥିଲା ।

ଏପଟେ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୧୬ ହଜାର ୯୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫, ପୁରୀରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବା ବେଳେ କୋଭିଡ ନିୟମ ପାଳନାରେ ଅବହେଳା ଓ ବୁଷ୍ଟର ଡୋଜ ନେବାକୁ ଲୋକେ ଆଗ୍ରହ ଦେଖାଉନଥିବାରୁ ସଂକ୍ରମଣ ଭୟ ବଢିବାରେ ଲାଗିଛି ।