ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଗଣଶିକ୍ଷା ବିଭାଗର ବଡ ନିଷ୍ପତି: ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ହେବ ‘ଜିରୋ କପି ଜୋନ୍’, କପି ଜଗିବ ସିସିଟିଭି
କନକ ବ୍ୟୁରୋ: ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା କେନ୍ଦ୍ର ହେବ ‘ଜିରୋ କପି ଜୋନ୍’। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗକୁ ଆଣିବା ପାଇଁ ଏଭଳି ଯୋଜନା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିପାଇଁ ୨୦୧୯ରେ ହେବାକୁ ଥିବା ଉକ୍ତ ଦୁଇ ଶ୍ରେଣୀର ପରୀକ୍ଷା ପରିଚାଳନାକୁ କଡ଼ାକଡ଼ି କରାଯିବ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲାଗିବ। ଏନେଇ ଚିନ୍ତା କରାଯାଉଥିବା ବିଭାଗୀୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଗଣଶିକ୍ଷା ବିଭାଗ ସମସ୍ୟା ବହୁଳ ବୋଲି ମାନିଛନ୍ତି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ମହାପାତ୍ର। ସେ କହିଛନ୍ତି ଯେ, ଯେତେ ସଜାଡ଼ିଲେ ବି ସମସ୍ୟା ଦୂର ହେଉନି। ଏଥିପାଇଁ ଆହୁରି ସମୟ ଲାଗିବ। ରାତାରାତି କିଛି ବଡ଼ଧରଣର ପରିବର୍ତନ ହେବା ସମ୍ଭବ ନୁହେଁ। ଗତବର୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ସଂସ୍କାର ଅଣାଯାଇଛି। ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ନ କରାଇବା ଦିଗରେ ପଦକ୍ଷେପ ନିଆଯାଇଥିଲା। ଯେଉଁଥିପାଇଁ କପି ଉପରେ ଲୋକ ଲାଗିପାରିଛି। ପାସହାର ବି କମିଛି। ତଥାପି ଆହୁରି କିଛି ସ୍ଥାନରେ କପି ହେଉଥିବା ନଜରକୁ ଆସିଛି। କେତେକ ସ୍ଥାନରେ ଶିକ୍ଷକମାନେ ପିଲାଙ୍କ ନମ୍ବର ବଢ଼ାଇବା ଲାଗି ଉଦ୍ୟମ କରୁଛନ୍ତି। କପି କରିବାକୁ ସୁଯୋଗ ଦେଉଛନ୍ତି।
ପରୀକ୍ଷା କେନ୍ଦ୍ରରେ ଓଏମଆର ସିଟ୍ ପ୍ରଶ୍ନଗୁଡ଼ିକର ଉତ୍ତର ଡାକି ଦେଉଥିବା ନଜରକୁ ଆସିଛି। ସେଥିରେ ସୁଧାର ଆଣିବା ଲାଗି ୨୮୦୦ରୁ ଅଧିକ ମାଟ୍ରିକ ପରୀକ୍ଷା କେନ୍ଦ୍ର ଓ ୧୧୦୦ ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ। ଏବେ ସୁଦ୍ଧା କିଛି ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିସାରିଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଅଧିକାଂଶ ରାଜ୍ୟରେ ସିସିଟିଭି ଲଗାଯାଇ ପରୀକ୍ଷା କରାଗଲାଣି। ଏହାଦ୍ୱାରା ଶିକ୍ଷକଙ୍କ କାର୍ଯ୍ୟକଳାପ ଧରାପଡ଼ିଯାଇଛି। ଓଡ଼ିଶାରେ ମଧ୍ୟ ସେଭଳି କରିବା ଦ୍ୱାରା ପରୀକ୍ଷା ପରିଚାଳନାରେ ସଂସ୍କାର ଆସିପାରିବ।
ଆସନ୍ତା ଶିକ୍ଷାବର୍ଷରୁ ମାଟ୍ରିକ୍ ପରୀକ୍ଷାରେ ଓଏମଆର ସିଟ୍ ହଟାଇବା ନେଇ ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ମୋହର ଲାଗିପାରି ନାହିଁ। ଆଉ କିଛି ଦିନ ସମୟ ଲାଗିବ। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧୀନରେ ଗଠିତ ହୋଇଥିବା ୫ ଜଣିଆ କମିଟି ଏପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇନାହାନ୍ତି। ଇତି ମଧ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗୋଟିଏ ମାସର ପାଠପଢ଼ା ଆରମ୍ଭ ହୋଇସାରିଛି। ତେଣୁ ନୂଆ ନିୟମ ଲାଗୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ବର୍ଷ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ଢାଞ୍ଚାରେ ପରୀକ୍ଷା କରି ଆସନ୍ତାବର୍ଷଠାରୁ ମାଟ୍ରିକ୍ ପରୀକ୍ଷାରୁ ଓଏମଆର ସିଟ୍ ହଟାଇବାକୁ ଚିନ୍ତା କରାଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି।
୬୦ ପ୍ରତିଶତରୁ କମ୍ ରେଜଲ୍ଟ କରିଥିବା ହାଇସ୍କୁଲ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ସଂପର୍କରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଶିକ୍ଷକମାନେ ଚିଠିକୁ ନେଇ ଭୟଭୀତ ହେବା ଉଚିତ ନୁହେଁ। ସେମାନେ ପ୍ରଥମେ ତାଙ୍କ ଦାୟିତ୍ୱ ବୁଝିବା ଦରକାର। ପିଲାମାନଙ୍କୁ କିଭଳି ଶିକ୍ଷା ପ୍ରଦାନ କରୁଛନ୍ତି? କାହିଁକି ଭଲ ରେଜଲ୍ଟ ହୋଇପାରୁନି? କେଉଁଠି ସମସ୍ୟା ରହୁଛି? ବିଦ୍ୟାଳୟ କର୍ତୃପକ୍ଷ ତାହାର ସମୀକ୍ଷା କରିବା ଆବଶ୍ୟକ। ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଅନ୍ୟ ଶିକ୍ଷକଙ୍କ ସହ ଆଲୋଚନା କରି ଆଗାମୀ ଦିନରେ କିଭଳି ଭଲ ରେଜଲ୍ଟ କରିପାରିବେ ସେଦିଗରେ ଧ୍ୟାନ ଦେବା ପାଇଁ ଏଭଳି ଚିଠି କରାଯାଇଛି।