ଶ୍ରୀମନ୍ଦିର ଉପରେ ଉଡିପାରିବ କି ଡ୍ରୋନ୍? ପୁରୀ ମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

67

କନକ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଓ ଭିଡିଓ ଭାଇରାଲ ହେବା ଆଉ ନୂଆ କଥା ହୋଇ ରହିନାହିଁ । ବାରମ୍ବାର ଡ୍ରୋନ ଉଡାଇଛନ୍ତି ଏବଂ ବିବାଦକୁ ଆସିଛନ୍ତି କିଛି ଲୋକ । କିନ୍ତୁ କାହାରି ଉପରେ କଡା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କିନ୍ତୁ ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ କରିଛି । ଏହାକୁ ନେଇ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି । ଠିକ୍ ସେହିପରି ପଶ୍ଚିମବଙ୍ଗର ଜଣେ ୟୁଟ୍ୟୁବର ପୁରୀ ପୋଲିସଙ୍କୁ ଧନ୍ୟବାଦ ଜଣାଇ ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଭାଇରାଲ କରିଛନ୍ତି । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ନୋ ଫ୍ଲାଇଂଗ ଜୋନ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିଲା ।

ଡ୍ରୋନର ବ୍ୟବହାର ୨୦୧୦ ପରେ ବଢ଼ିବାରେ ଲାଗିଛି । ୨୦୧୪ରେ ପ୍ରଥମ ଥର ରୁଷିଆର ଜଣେ ଯୁବକ ଡ୍ରୋନ୍ ଯୋଗେ ଶ୍ରୀମନ୍ଦିର ଉପର ଭାଗର ଭିଡିଓ କରିଥିଲେ । ଯାହାକି ବିବାଦ ମଧ୍ୟକୁ ଆସିଥିଲା । ଏହା ପରେ ଏହି ମାମଲାକୁ ନେଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ କିଛି ଅନୁଷ୍ଠାନ । ଜଣାପଡିଥିଲା ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିପାରିବ କି ନାହିଁ ଏହାର ଅନୁମତି ଡିଜିସିଏ ହିଁ ଦେଇପାରିବ । ୨୬/୧୧ ଘଟଣା ପରେ ଶ୍ରୀମନ୍ଦିର ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସମ୍ବେଦିନଶୀଳ ବୋଲି ଘୋଷଣା କରାଯାଇଥିଲା । ଏବଂ ୨୦୧୪ ଘଟଣା ପରେ କେବଳ ରଥଯାତ୍ରା ସମୟରେ ଶ୍ରୀମନ୍ଦିରକୁ ନୋ ଫ୍ଲାଇଂଗ୍ ଜୋନ ଘୋଷଣା କରାଗଲା । ଏହା ପରେ ଆଉ ୪ଥର ଡ୍ରୋନ ଫୁଟେଜ୍ ଭାଇରାଲ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଶ୍ରୀମନ୍ଦିର ପରିସରକୂୁ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିଲେ ଡିଜିସିଏ । ୧୦ହଜାର ଫୁଟ୍ ତଳକୁ ଶ୍ରୀମନ୍ଦିର ପାଖାପାଖି କୌଣସି ଘରୋଇ ଏୟାରକ୍ରାଫ୍ଟ ଉଡିବାର ଅନୁମତି ନାହିଁ ।

ଏବେ ପ୍ରଶ୍ନ ଉଠୁଛି
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବାକୁ ଅନୁମତି ଦେଲା କିଏ?
ଡ୍ରୋନ ଉଡିବା ସମୟରେ କେହି କେମିତି ଜାଣିପାରିଲେ ନାହିଁ?
ଶ୍ରୀମନ୍ଦିରର ଭିଡିଓ କାହା କାହା ହାତରେ ଲାଗିଛି?
ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ଏହା କେତେ ସାଂଘାତିକ?
ଏପରି ଘଟଣା ଭବିଷ୍ୟତରେ ବଡ଼ ବିପଦ ଆଣିବନି ତ?
ବାହ୍ୟ ଶକ୍ତିଙ୍କ ପାଖରେ ପହଁଚି ଯିବନି ତ ଶ୍ରୀମନ୍ଦିରର ସବୁ ତଥ୍ୟ?