କାଲି ପଡ଼ିବ ଭୋଟ, ଆଜି ଅନ୍ଧାରୀ ବିଜେ! ରାତି ଅଧିଆ ଭୋଟ କିଣା ଉପରେ ନଜର, ଛତିଶଗଡ଼ ସୀମା ଜଗିଛନ୍ତିି ସୁରକ୍ଷାକର୍ମୀ।

74

କନକ ବ୍ୟୁରୋ: ରାତି ପାହିଲେ ପଡ଼ିବ ଭୋଟ୍ । ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ । ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସମସ୍ତ ଆନୁସଂଗିକ ବ୍ୟବସ୍ଥା ସରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିର୍ବାଚନ ପାଇଁ ସୁରକ୍ଷାବଳ ଭିତରେ ରହିଛି ପଦ୍ମପୁର ନିର୍ବାଚନମଣ୍ଡଳୀ । ବିଶେଷ କରି ଟଙ୍କା ବଂଟାର ଏକାଧିକ ଅଭିଯୋଗ ଭିତରେ, ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପୁଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସାଇଲେନ୍ସ ପରିୟଡରେ ବେଆଇନ ଗତିବିଧି ଉପରେ ନଜର ରଖିବା ପାଇଁ ବରଗଡ଼ ଏସପି ଏବଂ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶୃଙ୍ଖଳିତ ମତଦାନ ପାଇଁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା, ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ ୯ଟିି ସିଆରପିଏଫ କଂପାନୀକୁ ନିଯୁକ୍ତ କରାଯାଇଛି । ଉଜେତନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ ।

ସେପଟେ ପଦ୍ମପୁର ନିର୍ବାଚନମଣ୍ଡଳୀ ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ସୀମା ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ପ୍ରତିଟି ଗାଡ଼ି ଉପରେ ନଜର ରଖାଯାଇଛି । ଆଜି ସାରାରାତି ସୁରକ୍ଷାକର୍ମୀ ସୀମାନ୍ତରେ ପହରାଦେବାର କାର୍ଯ୍ୟକ୍ରମ ଥିବା ବେଳେ ସନ୍ଦେହ ସୃଷ୍ଟି କରୁଥିବା ଗାଡ଼ି ଗୁଡ଼ିକୁ ଯାଂଚ କରାଯାଉଛି । ନିର୍ବାଚନର ଏହି ପ୍ରସ୍ତୁତି ଭିତରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ । କାହାକୁ ବାଛିବ ପଦ୍ମପୁର ଭୋଟର? କିଏ ମାରିବ ପଦ୍ମପୁର ବାଜି ? ଶାସକ ବିଜେଡି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ, ନିର୍ବାଚନ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିଥିବା ବେଳେ ଆସନ୍ତାକାଲି ବିଧାୟକ ବାଛିବ ପଦ୍ମପୁର ।