ଥମିବାର ନାଁ ନେଉନି ନାଗରିକତା ନିଆଁ: ସାରା ଦେଶରେ ଅସନ୍ତୋଷ, ଦିଲ୍ଲୀରେ ତୀବ୍ର ଆନ୍ଦୋଳନ । ଜୀବନଯାତ୍ରା ଠପ୍ ସହ ଗାଡି ଚଳାଚଳ ପ୍ରଭାବିତ

339

କନକ ବ୍ୟୁରୋ: ୨୦୧୪ରୁ ୨୦୧୯, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠୁ ହୁଏତ ସବୁଠାରୁ ବଡ଼ ଚ୍ୟାଲେଂଜ ଭାବେ ଉଭା ହୋଇଛି ଦେଶବ୍ୟାପୀ ଜଳୁଥିବା ଏହି ନାଗରିକତା ନିଆଁ । ପ୍ରତିବାଦ ଏବଂ ଆନ୍ଦୋଳନ ଆଉ କେବଳ ଛାତ୍ରଛାତ୍ରୀଙ୍କ ଭିତରେ ସୀମିତ ନାହିଁ । ବରଂ ଏଥିରେ ସାମିଲ ହୋଇଛନ୍ତି ସମାଜସେବୀ, ବୁଦ୍ଧିଜୀବୀ, ରାଜନେତା ଏବଂ ବିଭିନ୍ନ ବର୍ଗର ଲୋକ । ଦିଲ୍ଲୀରେ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ପୁଲିସ୍ ହେପାଜତକୁ ନିଆଯାଇଥିବା ବେଳେ ବେଙ୍ଗାଳୁରୁରେ ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହାକୁ ପୁଲିସ୍ ବଳପୂର୍ବକ ଉଠାଇ ନେଇଛି ।

ପ୍ରତିବାଦକାରୀ ରାସ୍ତାକୁ ଓହ୍ଲାଇ ଆସିବା ଫଳରେ ଜାମ ହୋଇଯାଇଛି ଦିଲ୍ଲୀରୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ୪୮ ନମ୍ବର ଜାତୀୟ ରାଜପଥ । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ-ଗୁରୁଗ୍ରାମ ସୀମାକୁ ମଧ୍ୟ ସିଲ କରିଦିଆଯାଇଛି । ସେହିପରି ଏନଏଚ-୮ରେ ଅଚଳ ହୋଇଯାଇଛି ଟ୍ରାଫିକ୍ ବ୍ୟବସ୍ଥା । ଦିଲ୍ଲୀରେ ପ୍ରତିବାଦ ଏତେ ତୀବ୍ର ହୋଇଛି ଯେ, ୧୯ଟି ମେଟ୍ରେ ଷ୍ଟେସନକୁ ବନ୍ଦ ରଖିବାକୁ ପଡ଼ିଛି । ଇଣ୍ଡିଗୋର ୨୦ଟି ବିମାନକୁ ରଦ୍ଦ କରାଯାଇଛି । ୧୬ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ଏୟାର ଇଣ୍ଡିଆର ୮ଟି ବିମାନ ଦେଢ଼ ଘଂଟାରୁ ଅଧିକ ସମୟ ଯାଏଁ ବିଳମ୍ବ ହୋଇଛି ଏବଂ ମୋବାଇଲ ସେବା, ଇଂଟରନେଟ୍ ଓ ଏସଏମଏସ ଉପରେ କଟକଣା ଲାଗିଛି ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ କୌଣସି ରାଲିକୁ ଅନୁମତି ଦେଇନଥିଲା । ଆଉ ପ୍ରସ୍ତାବିତ ପ୍ରତିବାଦ ସ୍ଥଳରେ ଆଗୁଆ ୧୪୪ ଧାରା ଜାରି କରାଯାଇଥିଲା ଅର୍ଥାତ ୪ରୁ ଅଧିକ ବ୍ୟକ୍ତି ଏକାଠି ହେବା ଉପରେ ଲଗାଯାଇଥିଲା କଟକଣା । ଆଇଟିଓ ମେଟ୍ରୋ ଷ୍ଟେସନ ନିକଟରେ ଥିବା ସହିଦ ପାର୍କରେ ଦୁଇଟି ଗୋଷ୍ଠୀ ଏକାଠି ହୋଇ ପ୍ରତିବାଦକୁ ଜୋରଦାର କରିବା ପାଇଁ ଯୋଜନା କରିଥିବାବେଳେ ଭଣ୍ଡୁର କରିଦେଇଛି ପୁଲିସ ।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷନୌରେ ନାଗରିକତା ଆଇନ୍ ଓ ଏନଆରସିକୁ ବିରୋଧ କରି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି ଆନ୍ଦୋଳନକାରୀ । ପୁଲିସ୍ ଗାଡ଼ି ଉପରେ ଆନ୍ଦୋଳନକାରୀ ପଥର ମାଡ଼ କରିଥିବା ବେଳେ କିଛି ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି । ବିଶେଷ କରି ଲକ୍ଷନୌର ପୁରୁଣା ସହର ଅଂଚଳରେ ପୁଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍ ଲୁହବୁହା ଗ୍ୟାସ୍ ମାଡ଼ କରିବା ସହ ଲାଠିଚାର୍ଚ୍ଚ ମଧ୍ୟ କରିଛି ।

ତେବେ ଏସବୁ ଭିତରେ ଲୋକଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଏକ ନୂଆ ପ୍ରୟାସ କରିଛନ୍ତି । ନାଗରିକତା ସଂଶୋଧନ ଆଇନ ସଂପର୍କରେ ଲୋକଙ୍କ ଭିତରେ ଥିବା ଭୟ ଓ ବିଭ୍ରାନ୍ତିକୁ ଦୂର କରିବା ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି । ନାଗରିକତା ଆଇନ୍ ପ୍ରସଙ୍ଗରେ ଗୁଜବକୁ ବିଶ୍ୱାସ ନକରିବାକୁ ସରକାର ବିଜ୍ଞାପନ ଜରିଆରେ ଅନୁରୋଧ କରିଛନ୍ତି । ତେବେ କେବେ ଥମିବ ଏ ଜଳୁଥିବା ନିଆଁ ଆଉ କେବେ ଫେରିବ ଶାନ୍ତି ।