ଜଶସ୍ୱୀଙ୍କ ଜୟଯାତ୍ରା । ଭାଗ୍ୟ ବଦଳାଇ ଦେଲା ଆଇପିଏଲ, ମୁମ୍ବାଇ ଲୋକାଲ ହିରୋକୁ କୋଟି କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।

3,831

କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ଉପାୟ ଏବଂ ସୁଯୋଗ ଆପେ ଆପେ ଆସିଥାଏ । ସେଥିପାଇଁ ତ ଯିଏ ସନ୍ଧ୍ୟାରେ ଗୁପଚୁପ୍ ବିକାଳୀ ପାଲଟିଥିଲା ଆଜି ସେ ଆଇଇପିଏଲ ଭଳି ବଡ଼ କ୍ରିକେଟ ମହାକୁମ୍ଭ ପାଇଁ କୋଟି କୋଟିରେ କିଣା ହୋଇଛି । ଆମେ କହୁଛୁ ମହାରାଷ୍ଟ୍ରର ଯୁବ କ୍ରିକେଟର ଜଶସ୍ୱୀ ଜୟସ୍ୱାଲଙ୍କ କଥା । ଯିଏ ଆଇପିଏଲ ୨୦୨୦ ସିଜନ୍ ପାଇଁ ବଡ଼ ମଞ୍ଚରେ ସୁଯୋଗ ପାଇଛନ୍ତି । ଜଶସ୍ୱୀଙ୍କୁ ୨ କୋଟି ୪୦ ଲକ୍ଷ ଟଙ୍କାରେ ରାଜସ୍ଥାନ ରୟାଲ୍ସ ଦଳ କଣିନେଇଛି । ଆଉ ଏହାପରେ ଜଶ୍ୱସୀ ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।

ଯୁବ କ୍ରିକେଟର ଜଶ୍ୱସୀଙ୍କ ସଂଘର୍ଷମୟ କାହାଣୀ ଆଜିର ଯୁବ ପୀଢ଼ି ପାଇଁ ପ୍ରେରଣାଦାୟୀ । କାରଣ ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲା ନିବାସୀ ଜଶ୍ୱସୀଙ୍କ ପରିବାର ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ । ୨୦୧୨ରେ ଯେବେ ଜଶ୍ୱସୀଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା ସେ କ୍ରିକେଟର ହେବାକୁ ସ୍ୱପ୍ନ ଦେଖିଥିଲେ ଆଉ ତାକୁ ସାକାର କରିବା ପାଇଁ ମାୟାନଗରୀରେ ରହୁଥିବା ନିଜ ଦାଦାଙ୍କ ପାଖକୁ ଚାଲି ଆସିଥିଲେ । ହେଲେ ଦାଦା ପାଖରେ ଛୋଟ କୁଡ଼ିଆଟିଏ ଥିବାରୁ ସେ ଏକ ଓମଫେଡ୍ ଦୋକାନରେ କାମ କରି ସେଠାରେ ରାତି କାଟୁଥିଲେ । ଏପରିକି କ୍ରିକେଟ୍ ସ୍ୱପ୍ନ ପୂରା କରିବାକୁ ସନ୍ଧ୍ୟାରେ ଗୁପଚୁପ୍ ମଧ୍ୟ ବିକୁଥିଲେ ।

ଏଭଳି ଦୁଃଖ ଦାରିଦ୍ର୍ୟର ଦଉଡ଼ି କାଟି ଏବେ ମୁମ୍ବାଇର ଲୋକାଲ ହିରୋଭାବେ ବେଶ୍ ଜଣାଶୁଣା ଜଶସ୍ୱୀ । ତେବେ ଲିଷ୍ଟ-ଏ କ୍ରିକେଟରେ ନିଜର ଦକ୍ଷତା ପ୍ରଦର୍ଶନ କରି ନିଷ୍ଠା ଓ ପରିଶ୍ରମ ଯୋଗୁଁ ସେ ଆସନ୍ତା ବର୍ଷ ୧୯ ବର୍ଷରୁ କମ୍ ଜୁନିୟର ବିଶ୍ୱକପ୍ ପାଇଁ ଚୟନ ମଧ୍ୟ ହୋଇଛନ୍ତି । ଏପରିକି ଲିଷ୍ଟ-ଏ କ୍ରିକେଟ୍ ଶ୍ରେଣୀରେ ବିଶ୍ୱର ସର୍ବକନିଷ୍ଠ ଦ୍ୱି-ଶତକ ହାସଲ କରିଥିବା କ୍ରିକେଟର ଭାବେ କୀର୍ତ୍ତୀମାନ ସ୍ଥାପନ କରିଛନ୍ତି ଜଶସ୍ୱୀ ।

କେବଳ ଏତିକି ନୁହେଁ ୧୭ ବର୍ଷୀୟ ଏହି ଖେଳଳି ଏବେ ଆସନ୍ତା ଆଇପିଏଲ ୨୦୨୦ରେ ବଡ଼ ମଞ୍ଚରେ ନଜର ଆସିବେ । ଜଣେ ଗୁପଚୁପ୍ ବିକାଳିରୁ କ୍ରିକେଟର ପୂଜାରୀ ପାଲଟିଥିବା ଜଶସ୍ୱୀଙ୍କ ଖେଳକୁ ବଡ଼ ପରଦାରେ ଦେଖିବା ପାଇଁ ଏବେ କ୍ରିକେଟପ୍ରେମୀମାନେ ଅପେକ୍ଷା କରି ରହିଛନ୍ତି ।