କୋରାପୁଟରୁ ବ୍ୟବସାୟୀଙ୍କୁ ଉଠାଇନେଲା ଏନ୍ଆଇଏ ! ଆତଙ୍କବାଦୀ ଲିଙ୍କ୍ ନେଇ ଚର୍ଚ୍ଚା

42

କନକ ବ୍ୟୁରୋ: ଆତଙ୍କବାଦୀ ଲିଙ୍କରେ କୋରାପୁଟର ଜଣେ ବ୍ୟବସାୟୀଙ୍କୁ ଏନଆଇଏ ଉଠାଇନେଇଥିବା ଚର୍ଚ୍ଚା ହେଉଛି । ଗତକାଲି ରାତିରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢ଼ଉ କରି ତାଙ୍କୁ ନେଇଥିବା କୁହାଯାଇଛି । ବ୍ୟବସାୟୀ ଜଣଙ୍କ ବେଆଇନ ସିମି ଆତଙ୍କବାଦୀ ସହ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଂଟକୁ ବାହାରୁ କୋଟି କୋଟି ଟଙ୍କା ଆସୁଥିବା ଖବର ଏନଆଇଏ ପାଖରେ ପହଂଚିଥିଲା । ଏହା ପରେ ବ୍ୟବସାୟୀଙ୍କ ଘରେ ଚଢ଼ଉ କରି ତାଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ଚଢ଼ଉ ସମୟରେ ବହୁ ଟଙ୍କା ଏବଂ କିଛି ଆପତିଜନକ କାଗଜ ପତ୍ର ମଧ୍ୟ ଏନଆଇଏ ହାତରେ ଲାଗିଥିବା ଚର୍ଚ୍ଚା ହେଉଛି । ଆତଙ୍କବାଦୀ ସହ ଜଡ଼ିତ ରହି ତାଙ୍କ ଠାରୁ ଟଙ୍କା ଆଣି ଅପରାଧୀକ କାର୍ଯ୍ୟରେ ବିନିଯୋଗ କରୁଥିବା ଅଭିଯୋଗରେ ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ଉଠାଇ ନେଇଥିବା ଚର୍ଚ୍ଚା ହେଉଛି । ତେବେ ଏ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ଏନ୍ଆଇଏ ଯାହାଙ୍କୁ ଉଠାଇ ନେଇଥିବା କଥା କୁହାଯାଉଛି, ସେହି ବ୍ୟବସାୟୀ ଜଣଙ୍କ ଏବେ ସହରରେ ନ ଥିବାରୁ ଏହି ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି। ଏକ ନିର୍ଭରଯୋଗ୍ୟ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ବ୍ୟବସାୟୀ ଜଣଙ୍କ ଦୀର୍ଘ ଦିନ ହେଲା ପୁଲିସର ସନ୍ଦେହୀ ନଜରରେ ରହିଥିଲେ । ତାଙ୍କ ବିରୋଧରେ ଗୁଇନ୍ଦା ରିପୋର୍ଟ ମଧ୍ୟ ଦେଇଥିଲା । ବ୍ୟବସାୟୀଙ୍କ ଘରେ ରାଜ୍ୟ ଓ ରାଜ୍ୟ ବାହାରର ଲୋକମାନେ ମେଳି ବାନ୍ଧୁଥିବା ମଧ୍ୟ ଖବର ରହିଛି । ଏଥିପାଇଁ ଗୁଇନ୍ଦା ବିଭାଗ ତାଙ୍କ ଉପରେ କଡା ନଜର ରଖିଥିଲା। ଏଭଳି ସ୍ଥିତିରେ ଆଜି ତାଙ୍କୁ ଉଠାଇ ନେଇଥିବା ଚର୍ଚ୍ଚା ପଛରେ ସତ୍ୟତା ଥିବା ଅନୁମାନ କରୁଛନ୍ତି ବୁଦ୍ଧିଜୀବୀ ।

ଅପରପକ୍ଷରେ ଗିରଫ ନେଇ କୋରାପୁଟ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ନାହିଁ । ଗିରଫ ଖବରକୁ ସେମାନେ ଅସ୍ୱୀକାର କରି ନ ଥିଲେ ମଧ୍ୟ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି । କୋରାପୁଟ ଏସପି ଡଃ କନଓ୍ଵର ବିଶାଳ ସିଂହ କହିଛନ୍ତି ଯେ, ଆତଙ୍କବାଦୀ ଲିଙ୍କରେ ଜଣଙ୍କୁ ଉଠାଇ ନେବା ଖବର ଆମେ ଶୁଣୁ ଛୁ। କିନ୍ତୁ ଚଢଉ ନେଇ ଆମକୁ କେହି ଯୋଗାଯୋଗ କରି ନାହାନ୍ତି କିମ୍ବା ପରେ ଜଣାଇ ନାହାନ୍ତି । ତେଣୁ ଆମ ପାଖରେ ଗିରଫ ନେଇ କୌଣସି ସୂଚନା ନାହିଁ ବୋଲି ଏସପି କହିଛନ୍ତି ।