ରାଜନୀତି ପାଇଁ ତନ୍ତ୍ରପୂଜା ! ପୁଣି ଚର୍ଚ୍ଚାରେ ଦିଗପହଣ୍ଡି

165

କନକ ବ୍ୟୁରୋ: ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ଦିଗପହଣ୍ଡି ଏବେ ପୁୁଣି ଚର୍ଚ୍ଚାରେ । ଏଥର କିନ୍ତୁ ରାଜନୀତି ପାଇଁ ନୁହେଁ ତନ୍ତ୍ରପୂଜା ପାଇଁ । ଦିଗପହଣ୍ଡି –ସାନଖେମୁଣ୍ଡି ସୀମା ଅଁଳାଗୁଡ଼ା ନିକଟବର୍ତୀ ଜଙ୍ଗଲରେ ତନ୍ତ୍ରବିଦ୍ୟା ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅମାବାସ୍ୟା ରାତିରେ ଏହି ତନ୍ତ୍ରପୂଜା କରାଯାଇଥିବା କୁହାଯାଉଛି । ଏଠାରେ ଚିରା ହୋଇପଡ଼ିଛି ବିପ୍ଲବ ପାତ୍ରଙ୍କ ଫଟୋ । ବିପ୍ଳବ ପାତ୍ର ଗୋଷ୍ଠୀ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ମାନସିକ ସନ୍ତୁଳନ ହରାଇଛନ୍ତି କୁଚକ୍ରି ଗୋଷ୍ଠୀ ।

ଦିଗପହଣ୍ଡି ଅଁଳାଗୁଡ଼ା ଜଙ୍ଗଲର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଙ୍ଗଲ ଭିତରେ ଏକ ବଟବୃକ୍ଷ ମୂଳରେ ପୂଜାର୍ଚ୍ଚନା କରାଯାଇଛି । ନାଲି ଓ କଳା କପଡ଼ା, ମାଛ, ସିନ୍ଦୁର, ଚାଉଳ, ହଳଦୀ, ଦୀପ, ଧୂପ ଓ ଆଳତି କର୍ପୁର ପଡ଼ିଛି । କିଏ ଓ କାହିଁକି ଜଙ୍ଗଲ ରାସ୍ତାରେ ଏଭଳି ପୂଜାପାଠ କରୁଥିଲେ, ତାହା ସ୍ପଷ୍ଟ ହୋଇନଥିବା ବେଳେ ତନ୍ତ୍ରବିଦ୍ୟା କରାଯାଇଥିବା କୁହାଯାଉଛି । ଏଠାରେ ଚିରା ହୋଇପଡ଼ିଛି ବିପ୍ଲବ ପାତ୍ରଙ୍କ ଫଟୋ, ପାଖରେ ପଡ଼ିଛି ଦିବଂଗତ ସୂର୍ଯ୍ୟ ପାତ୍ରଙ୍କ ବ୍ୟକ୍ତିଗତ ସହାୟକ ସୀମାଦ୍ରି ପାତ୍ରଙ୍କ ଚିରା ଫଟୋ ଏବଂ ଜିଲ୍ଳା ପରିଷଦ ସଭ୍ୟ ନିରଂଜନ ରେଡ୍ଡିଙ୍କ ଚିରା ଫଟୋ । ଏହାସହ ଏଠାରେ ମାଛବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଏଭଳି ପୂଜା କରାଯାଇଥିବା କୁହାଯାଉଛି ।

ରାଜନୀତିରେ କେଉଁ ନେତାଙ୍କୁ ଦୁର୍ବଳ କରିବାକୁ କିମ୍ବା କେଉଁ ନେତାଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ଏଭଳି ତନ୍ତ୍ରବିଦ୍ୟା କରାଯାଇଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଅଁଳାଗୁଡ଼ା ଜଙ୍ଗଲ ରାସ୍ତାରେ ଜମିକୁ ଯାଉଥିବା ବେଳେ କିଛି ଚାଷୀ ତନ୍ତ୍ରବିଦ୍ୟା ହୋଇଥିବା ଦେଖିବାକୁ ପାଇଥିଲେ । ଏକ ବଟବୃକ୍ଷ ମୂଳରେ ଏହି ପୂଜାର୍ଚ୍ଚନା କରାଯାଇଛି । ବିପ୍ଳବ ପାତ୍ର ଗୋଷ୍ଠୀ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ମାନସିକ ସନ୍ତୁଳନ ହରାଇଛନ୍ତି କୁଚକ୍ରି ଗୋଷ୍ଠୀ ।

ଗଂଜାମ ଜିଲ୍ଲା ଦିଗପହଣ୍ଡି ରାଜନୀତିରେ ଏବେ ଛକାପଞ୍ଝା ଜୋରଦାର ହୋଇଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସ୍ଥାନୀୟ ରାଜନୀତି ଗୋଳମାଳିଆ ହୋଇଯାଇଛି । ବିଜେଡି ଦୁଇଭାଗ ହୋଇଯାଇଥିବା ବେଳେ ଏଥିରୁ ଫାଇଦା ଚକ୍କରରେ ଅଛନ୍ତି ବିରୋଧୀ । ଏସବୁ ଭିତରେ ନିକଟରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିପ୍ଲକ ଗୋଷ୍ଠୀକୁୁ ଝଟକା ଲାଗିଛି । ବହୁ ଉଦ୍ୟମ ସତ୍ୱେ ବିପ୍ଲବ ହାତରୁ ଦିଗପହଣ୍ଡି ଛଡ଼ାଇ ନେଇଥିଲେ ବିପିନ ପ୍ରଧାନ । ଏହି ପରାଜୟ ପରେ ଦୁଇ ଗୋଷ୍ଠୀ ଭିତରେ ଅଶାନ୍ତି କୁହୁଳୁଥିବା ବେଳେ ପୁଣି ଏବେ ଗୁଣିଗାରେଡ଼ି ଭଳି ଏକ ଅନ୍ଧବିଶ୍ୱାସ ଆହୁରୀ ତିକ୍ତତା ବଢ଼ାଇ ଦେଇଛି ।