ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ତଦନ୍ତ ବିରୋଧରେ ହିଂଦୋଳରେ ବିଜେପି କର୍ମୀଙ୍କ ବିକ୍ଷୋଭ

42

ହିଂଦୋଳ : ବିଧାୟକ ଲାଂଚ ମାଗିବା ଘଟଣାରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଧାୟିକା ସୀମାରାଣୀ ନାୟକଙ୍କ ହିଂଦୋଳ  ନିର୍ବାଚନୀ ମଣ୍ଡଳୀରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ରାଲି କରାଯାଇଛି। ବିଜେପି କର୍ମୀମାନେ ତେଲିଭୂଇଁ ଛକରୁ ଏକ ରାଲିରେ ବାହାରି ରାସୋଳ ଥାନା ନିକଟରେ ପହଂଚି ବିଧାୟିକା ସୀମାରାଣୀଙ୍କ କୁଶ ପୁତଳିକା ଦାହ କରିଛନ୍ତି । ଦୋଷୀ ବିଧାୟକଙ୍କୁ ଘଂଟ ଘୋଡାଇବା ପାଇଁ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି । ଅପରେସନ୍ ବ୍ଲାକସ୍ପଟରେ ଧରା ପଡିଥିବା ୪ ବିଧାୟକଙ୍କ ବହିଷ୍କାର ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

କନକ ନ୍ୟୁଜରେ ଟଙ୍କା ମୂଲଚାଲର ଭିଡିଓ ପ୍ରସାରିତ ହୋଇଥିଲା । ଯେଉଁଥିରେ ୪ ଜଣ ବିଧାୟକ ଟଙ୍କା ମାଗୁଥିବାର ଦୃଶ୍ୟ ରେକର୍ଡ ହୋଇଥିଲା । ତୃତୀୟ ପକ୍ଷର ଏହି ଭିଡିଓକୁ ପ୍ରସାରଣ କରିଥିଲା କନକ ନ୍ୟୁଜରେ । ଏହି ଭିଡିଓରେ କିଛି ବ୍ୟକ୍ତି ଶିଳ୍ପପତି ସାଜି ସ୍ଥାନୀୟ ବିଧାୟକଙ୍କ ସହ ତାଙ୍କ ଅଂଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏନ୍ଓସିରେ ସହାୟତା କରିବାକୁ ଅନୁରୋଧ କରିଥିଲେ । ଆଉ ଏହି ସହାୟତା ପାଇଁ ଟଙ୍କାର ମୂଲଚାଲ ହୋଇଥିଲା। ହିଂଦୋଳ ବିଧାୟିକା ସୀମାରାଣୀ ନାୟକ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଂଜିଆ ବିଧାୟକ ବିଜୟ ନାୟକ, ଓ ଭବାନୀପାଟଣା ବିଧାୟକ ଅନାମ ନାୟକ ଏଥିରେ ଧରାପଡିଛନ୍ତି । ସବୁଠାରୁ ବଡ କଥା ହେଉଛି ଟଙ୍କା ମୂଲଚାଲ କରୁଥିବା ନେଇ ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି।