କାହାରିକୁ ଛାଡ଼ିଲେନି ବିଜେପି ସାଂସଦ! ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କଲେ ଅପରାଜିତା।

597

କନକ ବ୍ୟୁରୋ: ପ୍ରଥମେ ରୋଡ ସୋ, ପରେ ସାଧାରଣ ସଭା । ରୋଡ ସୋରେ ଲୋକଙ୍କ ସହ ମିଶିଛନ୍ତି, ଜନସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ । ଦିନେ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ ପ୍ରଶାସନ ଓ ଶାସନକୁ ଅତିନିକଟରୁ ଦେଖିଥିବା ଅପରାଜିତା, ଗୋଟି ଗୋଟି ପଦ୍ମପୁରର ବଡ଼ ବଡ଼ ପ୍ରସଙ୍ଗ ଉଠାଇଛନ୍ତି । ଜିଲ୍ଲା ଗଠନ, ରେଳଲାଇନ ସଂଯୋଗ, ଜଳସେଚନ, ପାନୀୟ ଜଳ, ଦାଦନ ସମସ୍ୟା, ଚାଷୀ ପ୍ରସଙ୍ଗ, ଏମିତି ଏକାଧିକ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିଜେପି ସାଂସଦ । ଅପରାଜିତା ପ୍ରଶ୍ନ କରିଛନ୍ତି-

– ୨୨ ବର୍ଷର ସରକାର କାହିଁକି ଜିଲ୍ଲା ଗଠନ କଲେନାହିଁ?
– ରେଳ ସଂଯୋଗ ପାଇଁ କାହିଁକି ରାଜ୍ୟ ସରକାର ପଦକ୍ଷେପ ନେଲେ ନାହିଁ ?
– ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କୁଆଡ଼େ ଗଲା ?
– ଝାଟିମାଟିରେ ରହୁଥିବା ଲୋକଙ୍କୁ ପକ୍କାଘର କାହିଁକି ଦେଲେ ନାହିଁ ?
– ପଦ୍ମପୁରର ଲୋକ କାହିଁକି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ?

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପଦ୍ମପୁରର ଭେଉଁରିଆ, ସତୀଭଟା ଓ ବରିକେଲରେ ପ୍ରଚାର କରିବା ସହ ବିଜେଡି ପ୍ରାର୍ଥିନୀ ବର୍ଷା ସିଂଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଅପରାଜିତା । ସେ କହିଛନ୍ତି- ଅନ୍ୟର ବୋହୂ, ଶାଶୁଘର ପାଇଁ କହିବ ନା’ ବାପଘର ପାଇଁ କହିବ । ମାଟିର ଝିଅ ଶାଶୁ ଘରକୁ ଚାଲିଯାଇଛି ତାଙ୍କୁ ଜିତେଇବେ ନା’ ମାଟିିର ପୁଅକୁ ଜିତେଇବେ ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି? ଝିଅର ଭୂମିକା ଓ ବୋହୂର ଭୂମିକାକୁ ପଦ୍ମପୁର ଜନତା ଠିକ୍ ବୁଝିବେ ବୋଲି କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । କହିଛନ୍ତି-ବିଜେପି ନେତା ଟ୍ରେନରେ ଆସି ଜନସମ୍ପର୍କ ଯାତ୍ରା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ଆସି ଭାଷଣ ପଢ଼ିଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆମକୁ ଏମିତିଆ ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଲୋକଙ୍କ ସହ ୩୬୫ ଦିନ ଲୋକଙ୍କ ସହ ରହିବେ ବୋଲି ଜନସଭାରେ କହିଛନ୍ତି । ତେବେ ଅପରାଜିତାଙ୍କ ସାମଲୋଚନାର କଡ଼ା ଜବାବ ରଖିଛି ବିଜୁ ଜନତା ଦଳ । ନିର୍ବାଚନକୁ ହାତରେ ମାତ୍ର ଆଉ ଅଳ୍ପ ଦିନ ଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ପ୍ରଚାର । ଆଉ ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାଣପଣେ ଉଦ୍ୟମ କରୁଛନ୍ତି ।