ନିର୍ବାଚନ ପାଇଁ ବିଜେପି ଜାରି କଲା ସଙ୍କଳ୍ପ ପତ୍ର । ସିଏଏ ଲାଗୁ ସହ ଗୋଟିଏ ଦେଶ ଗୋଟିଏ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ।

163

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପି ଜାରି କରିଛି ସଂକଳ୍ପ ପତ୍ର । ବିଜେପି ମୁଖ୍ୟ ମୁଖ୍ୟାଳୟରେ ସଂକଳ୍ପ ପତ୍ରର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ତା’ର ସଂକଳ୍ପ ପତ୍ରରେ ବିକଶିତ ଭାରତର ସଂକଳ୍ପକୁ ଦୋହରାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କିଛି ରାଜ୍ୟରେ ନୂଆବର୍ଷର ଉତ୍ସାହ କଥା କହିଥିଲେ । ସଂକଳ୍ପ ପତ୍ରରେ ବିକଶିତ ଭାରତର ୪ଟି ମଜଭୁତ ସ୍ତମ୍ଭକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ । ଏହି ମଜଭୁତ ସ୍ତମ୍ଭ ଗୁଡ଼ିକ ହେଲା, ଯୁବଶକ୍ତି, ନାରୀ ଶକ୍ତି, ଗରିବ ଏବଂ ଚାଷୀ ।

ଆଗାମୀ ୫ ବର୍ଷ ପାଇଁ ୮୦ କୋଟି ଭାରତୀୟଙ୍କ ମାଗଣା ରାସନ ସହ ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା ପ୍ରଦାନ କରାଯିବା ନେଇ ବିଜେପି ପ୍ରତିଶ୍ରୁତି ଦେଇଛି । ଖୁବଶୀଘ୍ର ୱାନ୍ ନେସନ୍ ୱାନ୍ ଇଲେକ୍ସନ ବା ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସାକାର କରାଯିବା ନେଇ ମୋଦୀ କହିଛନ୍ତି । ଏହାସହ ଖୁବଶୀଘ୍ର ସମାନ ନାଗରିକ ସଂହିତା ଲାଗୁ କରାଯିବା ନେଇ ପ୍ରତିଶ୍ରୁତି ଦେଇଛି ବିଜେପି । ସଂକଳ୍ପ ପତ୍ରରେ ଦିବ୍ୟାଙ୍ଗକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ ଏବଂ ଦିବ୍ୟାଙ୍ଗଙ୍କୁ ପିଏମ୍ ଆବାସ ଯୋଜନାରେ ପ୍ରାଥମିକତା ଦିଆଯିବ । ସେହିପରି ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ଟ୍ରାନ୍ସଜେଣ୍ଡର । ଏହାସହ ମୁଦ୍ରା ଯୋଜନାରେ ବୀମା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ନେଇ ପ୍ରତିଶ୍ରୁତି ଦେଇଛି ବିଜେପି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ପକ୍କାଘର ନିର୍ମାଣ କରିବା ନେଇ ମୋଦୀ ଗ୍ୟାରେଂଟି ଦେଇଛନ୍ତି । ଏହାସହ ଶୂନ ବିଦ୍ୟୁତ ବିଲ୍ ଓ ଶସ୍ତା ରୋଷେଇ ଗ୍ୟାସ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ଜୁନ୍ ୪ ତାରିଖ ପରେ ସବୁ ପ୍ରତିଶ୍ରୁତି ତୁରନ୍ତ ଲାଗୁ କରାଯିବା ନେଇ ଦମ୍ଭୋକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।