ବିଜେପିର ପ୍ରତିଷ୍ଠା ଦିବସରେ ଚଳଚଂଚଳ ରାଜ୍ୟ ବିଜେପି ! ଜାତୀୟ କାର୍ଯ୍ୟକାରିଣୀ ପାଇଁ ଆଜି ହେବ ଭୂମିପୂଜନ

19

କନକ ବ୍ୟୁରୋ : ୩୭ ତମ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପିରେ ଦେଖାଦେଇଛି ଉତ୍ସାହ । ରାଜ୍ୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ଏକାଠି ହୋଇ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପତାକା ଉତୋଳନ କରିଛନ୍ତି । ଏହି ଅବସରରେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗଙ୍କ ସମେତ ବହୁ ମହିଳା ନେତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ ପ୍ରତିଷ୍ଠା ଦିବସ ଅବସରରେ ବସନ୍ତ ପଣ୍ଡା କହିଛନ୍ତି, ଦେଶରେ ବିକାଶ ଧାରା ଆଗେଇଛି । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ କୃଷି ଋଣ ଛାଡ କରିବା ପାଇଁ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି । ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ହେବାକୁ ଥିବା ଜାତୀୟ କାର୍ଯ୍ୟକାରୀଣିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିଜେପି ପକ୍ଷରୁ ଜାତୀୟ କାର୍ଯ୍ୟକାରୀଣି ସ୍ଥଳ ଜନତା ମଇଦାନରେ ଭୂମିପୂଜନ କରାଯାଉଛି ।

ବିଜେପି କୁ ପୂରିଛି ୩୭ ବର୍ଷ । ଆଜି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ । ଦିଲ୍ଲୀ ସ୍ଥିତ ଜାତୀୟ ବିଜେପି କାର୍ଯ୍ୟାଳୟରେ ଆଜି ପ୍ରତିଷ୍ଠା ଦିବସ ପାଳିତ ହେଉଛି । ସାରା ଦେଶରେ ବିଜେପି କାର୍ଯ୍ୟକର୍ତ୍ତା ଆଜି ୩୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମେତ ବହୁ ବରିଷ୍ଠ ନେତା କାର୍ଯ୍ୟାଳୟରେ ପହଂଚି ପ୍ରଥମେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ ।

ଦେଶର ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶର ବିରାଟ ବିଜୟ ପରେ ବିଜେପି ପାଇଁ ଏଥର ପ୍ରତିଷ୍ଠା ଦିବସ ଆହୁରି ଖାସ ହୋଇଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଲଡୁ ଖୁଆଇ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ । ପରେ ପ୍ରଧାନମନ୍ତ୍ରୀ ଦଳୀୟ କର୍ମକର୍ତାଙ୍କୁ ସମ୍ବୋଧନ କରି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ । ବିଜେପି କର୍ମକର୍ତ୍ତାଙ୍କ କଠିଣ ପରିଶ୍ରମକୁ ଗର୍ବର ସହ ମନେ ପକାଯାଉଛି । ଯେଉଁମାନେ ପରିଶ୍ରମ ବଳର ଇଟା ଉପରେ ଇଟା ଯୋଡି ଦଳକୁ ମଜବୁତ କରିଛନ୍ତି ।

ଦଳ ପାଇଁ ଗର୍ବର ବିଷୟ ହେଉଛି, ଦେଶର ଜନତା ବିଜେପିକୁ ବିଶ୍ୱାସ କରିଛନ୍ତି । ତେଣୁ ବିଜେପି ଲଗାତାର ଭାରତ, ଦେଶର ଗରିବ ଓ ସମାଜରେ ପଛୁଆ ଲୋକଙ୍କ ପାଇଁ କାମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ସେବା ମନୋଭାବ ନେଇ କାମ କରିବା ମନ୍ତ୍ର ସେ କର୍ମର୍ତ୍ତାଙ୍କୁ ଦେଇଛନ୍ତି । ସେହିପରି ପ୍ରତିଷ୍ଠା ଦିବସ ଅବସରରେ ଦଳର ବରିଷ୍ଠ ନେତା ଭେଙ୍କେୟା ନାଇଡୁ କହିଛନ୍ତି, ବିଜେପି ସବକା ସାଥ ସବକା ବିକାଶ ଏଜେଣ୍ଡାରେ କାମ କରୁଛି । ଦେଶର ସମସ୍ତ ନାଗରିକଙ୍କ ବିକାଶ ବିଜେପିର ଲକ୍ଷ୍ୟ ବୋଲି ସେ କହିଛନ୍ତି ।