ଛୋଟପିଲାଙ୍କୁ ରାଲିରେ ବ୍ୟବହାର କରୁଛନ୍ତି ଅପରାଜିତା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି, କହିଲା ବାରମ୍ବାର ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି ଅପରାଜିତା । 

364

କନକ ବ୍ୟୁରୋ : ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଛି । ବିଜେଡିର ଏକ ପ୍ରତିନିଧିଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ମାନୁନାହାନ୍ତି ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ରାଲି, ସଭା ଓ ଶୋଭାଯାତ୍ରାରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଏବଂ ତାଙ୍କ ବେକରେ ବିଜେପିର ଉତ୍ତରୀୟ ପକାଉଥିବା ଅଭିଯୋଗ କରିଛି ବିଜେଡି ।  ଏଭଳି କରି ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ଉଲ୍ଲଂଘନ କରୁଛନ୍ତି ଅପରାଜିତା ।

ଓଡ଼ିଶା ବିଜେପି ନିଜର କର୍ମୀ ସୃଷ୍ଟି କରିପାରୁନି । ସେଥିପାଇଁ କୋମଳମତି ଶିଶୁଙ୍କୁ ରାଲି ଓ ଶୋଭାଯାତ୍ରାରେ ସାମିଲ କରିବା ସହ ସେମାନଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଉଥିବା କହିଛି ବିଜେଡି । କିନ୍ତୁ ଏହା ଆଦୌ ଗ୍ରହଣୀୟ ନୁହେଁ । ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଅପରାଜିତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଦାବି କରିଛି । କୌଣସି ବି ପରିସ୍ଥିତିରେ କୋମଳମତି ଶିଶୁଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଯିବା ଉଚିତ୍ ନୁହେଁ, ବିଜେଡି ଏହାକୁ ବିରୋଧ କରେ । ଅପରାଜିତା ଷଡଙ୍ଗୀ ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ମାନିବା ଉଚିତ୍ ବୋଲି ବିଜେଡି କହିଛି । ଏହାସହ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଅପିଲ କରିଛି ବିଜେଡି ।