ବଡ଼ଚଣାରେ ବିଜେଡିର ବଡ଼ ସରପ୍ରାଇଜ୍: କଟିଲା ହେଭିୱେଟ୍ ଅମର ଶତପଥୀଙ୍କ ଟିକେଟ୍, ବର୍ଷାଙ୍କୁ ପ୍ରାର୍ଥୀ କଲା ବିଜେଡି

187

କନକ ବ୍ୟୁରୋ: ବିଜେଡିର ଅଘୋଷିତ ପ୍ରାର୍ଥୀ ତାଲିକାକୁ ଅପେକ୍ଷା ଥିଲା । ଆଉ ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରି, ସାରା ରାଜ୍ୟକୁ ଚମକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡଚଣାରେ ଦେଇଛନ୍ତି ବଡ ସରପ୍ରାଇଜ୍ । ଦଳରେ ଯୋଗଦେବାର ଦିନକ ପରେ, ବର୍ଷା ପ୍ରିୟଦର୍ଶିନୀଙ୍କୁ ଏଠାରେ ପ୍ରାର୍ଥୀ କରାଯାଇଛି । ସେହିପରି କେନ୍ଦୁଝର ଓ କେନ୍ଦ୍ରାପଡାରେ ମାଷ୍ଟର ଷ୍ଟ୍ରୋକ୍ ମାରିଛନ୍ତି ମୁଖ୍ୟମନ୍ତ୍ରୀ । ଚମ୍ପୁଆରେ ସନାତନ ମହାକୁଡଙ୍କୁ ପ୍ରାର୍ଥୀ କରି କେନ୍ଦୁଝରରେ ବଡ ରାଜନୈତିକ ଗୋଟି ଚାଳନା କରିଛନ୍ତି । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡା ମଇଦାନକୁ ଓହ୍ଲାଇ ବିରୋଧୀ ଶିବିରରେ ହଟଚମଟ ସୃଷ୍ଟି କରିଛନ୍ତି ।

ବଡ଼ଚଣାରେ ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ୍ କାଟି ବର୍ଷାଙ୍କୁ ପ୍ରର୍ଥୀ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବିଜେଡି ସୁପ୍ରିମୋ । ବିଧିବଦ୍ଧ ଭାବେ ଦଳରେ ଯୋଗଦାନର ମାତ୍ର ଦିନକ ପରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ଦେଇଛି ବିଜେଡି । ପ୍ରାର୍ଥୀ ଘୋଷଣା ପରେ କଟକ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ବର୍ଷା । ତାଙ୍କ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞତା ଜଣାଇଛନ୍ତି । କହିଛନ୍ତି, ରାଜ୍ୟ ସରକାର ମହିଳାଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ମିସନ ଶକ୍ତି ତାହାର ଉଦାହରଣ ।

୨୦୨୪ ବଡ଼ଚଣା ଲଢ଼େଇ
ବର୍ଷା ପ୍ରିୟଦର୍ଶିନୀ, ବିଜେଡି – ଅମର ନାୟକ, ବିଜେପି – ?, କଂଗ୍ରେସ
ବଡ଼ଚଣାରେ ବିଜେଡି ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅମର ନାୟକଙ୍କୁ ରିପିଟ୍ କରିଛି ବିଜେପି । କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
୨୦୧୯ ବଡ଼ଚଣା ଲଢ଼େଇ
ଅମର ଶତପଥୀ, ବିଜେଡି – ୬୪,୦୮୪
ଅମର ନାୟକ, ବିଜେପି – ୬୨,୫୯୯
ଅଜୟ ସାମଲ, କଂଗ୍ରେସ – ୯,୩୨୨

୨୦୧୯ ନିର୍ବାଚନ ବିଜେଡି ପ୍ରାର୍ଥୀ ଅମର ଶତପଥୀଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପିର ଅମର ନାୟକ । କମ୍ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବଡ଼ଚଣାର ବିଧାୟକ ହୋଇଥିଲେ ଅମର ଶତପଥୀ । ୨୦୦୪ ନିର୍ବାଚନକୁ ଛାଡ଼ିଦେଲେ ୧୯୯୦ ମସିହାରୁ ଏହି ଆସନରେ କ୍ରମାଗତ ସେ ୬ଥର ବିଧାୟକ ହୋଇଛନ୍ତି । ଏଥର ମଧ୍ୟ ଲଢ଼ିବାକୁ ଚାହୁଁଥିଲେ ଅମର ଶତପଥୀ । ନହେଲେ ତାଙ୍କ ପୁଅକୁ ଟିକେଟ ଦେବା ପାଇଁ ବିଜେଡି ପାୱାର କରିଡରରେ ଲବି କରିଥିଲେ । ହେଲେ ତାଙ୍କ ଉପରେ ଭରସା ନକରି ବର୍ଷାଙ୍କୁ ଟିକେଟ ଦେଇଛି ଦଳ । ଏବେ ଅମର ଶତପଥୀଙ୍କ ଆଭିମୁଖ୍ୟ କ’ଣ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର । ଟିକେଟ କଟିବା ପରେ ଅମର ଶତପଥୀଙ୍କ ଭୁବନେଶ୍ୱର ବାସଭବନରେ ତାଙ୍କ ସମର୍ଥକମାନେ ଏକାଠି ହୋଇଛନ୍ତି ।

ବଡ଼ଚଣା ପାଇଁ ଅନ୍ୟତମ ଆଶାୟୀ ଥିଲେ ରାଜ ନାରାୟଣ ମହାପାତ୍ର । ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ନିକଟରେ ବିଜେଡିରେ ମିଶିଥିଲେ । ଟିକେଟ ଦାବିଦାର ଥିଲେ ବି ତାଙ୍କ ଉପରେ ଭରସା ଦେଖାଇନି ବିଜେଡି ।

ଗୋଟିଏ ପଟେ ବର୍ଷାଙ୍କୁ ବିଜେଡି ଟିକେଟ୍ ଦେଇଛି । ଅନ୍ୟପଟେ ବିଜେଡି ଛାଡ଼ି ଏପ୍ରିଲ ୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ଅଭିନେତା ଅନୁଭବ ମହାନ୍ତି । ହେଲେ ଅନୁଭବଙ୍କୁ କେଉଁଠି ପ୍ରାର୍ଥୀ କରିବ, ଏଯାଏଁ ନିଷ୍ପତି ନେଇନାହିଁ ବିଜେପି ।