ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ । ତାତି ଛୁଇଁଲା ୪୫.୨ ଡିଗ୍ରୀ, ଆସନ୍ତାକାଲିଠୁ କମିପାରେ ତାତିର ପ୍ରଭାବ ।

116

କନକ ବ୍ୟୁରୋ: ବୌଦ୍ଧରେ ଶିଖର ଛୁଇଁଲା ତାତି, ପୂର୍ବାନୁମାନ ଅନୁଯାୟୀ ବୌଦ୍ଧରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଥିବା ସୂଚନା ଦେଲା ପାଣିପାଗ ବିଭାଗ । ଆଜି ବୌଦ୍ଧରେ ୪୫.୨ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା । ଗତକାଲି ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ଏପଟେ କ୍ରମାଗତ ଭାବେ ୭ ଦିନ ହେବ ଗ୍ରୀଷ୍ମ ଲହରି ରାଜ୍ୟରେ ଜାରି ରହିଥିବା ବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ ଆଶ୍ୱସ୍ତି । ଆସନ୍ତାକାଲି ଠାରୁ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ଯାହାରା ପ୍ରଭାବରେ ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ହେବ। ଏହାସହ ଅପ୍ରେଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ ଉଷ୍ମ ଆଦ୍ର ପାଣିପାଗ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ୨୨ ଯାଏଁ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରିରହିବ ।