ବଡ଼ଚଣା ପାଇଁ ବ୍ଲୁ ପ୍ରିଣ୍ଟ: ଶଙ୍ଖ ଭବନରେ ଆଶାୟୀଙ୍କ ମାନଭଞ୍ଜନ, ବର୍ଷାଙ୍କ ବିଜୟ ପାଇଁ ସଂକଳ୍ପ

545

କନକ ବ୍ୟୁରୋ: ବଡଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ କେମିତି ଜିତାଇବ ବିଜେଡି, ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । ବର୍ଷାଙ୍କୁ ପ୍୍ରାର୍ଥୀ କରିବା ପରେ ଦଳର ପ୍ରାଥମିକତା ହେଉଛି, ସମ୍ଭାବ୍ୟ ବିଦ୍ରୋହକୁ ଏଡାଇବା । ଏହି କ୍ରମରେ ବଡଚଣା ପାଇଁ ପ୍ରବଳ ଦାବିଦାର ଥିବା ଅମର ଶତପଥୀଙ୍କୁ ମନାଇବାକୁ ଉଦ୍ୟମ ହୋଇଛି । ଆଶା କରାଯାଉଛି, ଦଳ ଅନେକାଂଶରେ ସଫଳ ହୋଇଛି । କାରଣ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଅମର କହିଛନ୍ତି । ସେପଟେ ଅନ୍ୟତମ ଦାବିଦାର ରାଜା ନାରାୟଣ ମହାପାତ୍ର, ବର୍ଷାଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୋମବାର ବିଧାୟକ ତଥା ଟିକେଟ ଆଶାୟୀ ଅମର ଶତପଥୀଙ୍କୁ ବର୍ଷା ଭେଟିବା ପରେ ଶଂଖ ଭବନରେ ବଡଚଣା ଦଖଲ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଟିକେଟକୁ ନେଇ ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କ ଭିତରେ ଥିବା ମନୋମାଳିନ୍ୟକୁ ପଛରେ ପକାଇ ବର୍ଷାଙ୍କୁ କେମିତି ବିପୁଳ ଭୋଟରେ ବିଜୟୀ କରାଯିବ ସେଥିପାଇଁ ଆଲୋଚନା ହୋଇଛି । ଅମର ଶତପଥୀଙ୍କ ସମର୍ଥକ ଓ ସହଯୋଗୀଙ୍କୁ ଡାକି ଶଂଖ ଭବନରେ ଦଳ ବୁଝା ଯାଇଛି । ଆଉ ବର୍ଷାଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି । ଟିକେଟ ଆଶାୟୀ ଥିବା ରାଜନାରାୟଣ ମହାପାତ୍ର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । କିନ୍ତୁ ଅମର ଶତପଥୀ ବୈଠକକୁ ଆସିନଥିଲେ । ତେବେ ବୈଠକରେ ଯୋଗ ଦେଇଥିବା ନେତା ବର୍ଷାଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସମସ୍ତଙ୍କୁ ସରପ୍ରାଇଜ୍ ଦେଇ ବର୍ଷାଙ୍କୁ ବଡଚଣାରୁ ବିଜେଡି ପ୍ରାର୍ଥୀ କରିବା ପରେ ଅମର ଶତପଥୀଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ବର୍ଷାଙ୍କ ସାଥୀରେ ରହିବେ ନା ବିଦ୍ରୋହୀ ବନିବେ? ଅମରଙ୍କ ନିର୍ଦ୍ଦେଶକୁ ତାଙ୍କ ସମର୍ଥକମାନେ ଅପେକ୍ଷା କରିଛନ୍ତି । ଏସବୁ ଭିତରେ ଅମର ଶତପଥୀ ପ୍ରତିକ୍ରିୟା ରଖି କହିଛନ୍ତି, ସେ ଅନ୍ୟ ଦଳକୁ ଯିବାର ନାହିଁ କି ନିର୍ବାଚନ ଲଢ଼ିନେ ନାହିଁ ।
୨୦୧୯ରେ ହାରୁ ହାରୁ ଜିତିଥିଲେ ଅମର ଶତପଥୀ । ଆଉ ଅମରଙ୍କୁ ଟକ୍କର ଦେଇଥିବା ବିଜେପିର ଅମର ନାୟକ ଏବେ ମଇଦାନରେ । ତାଙ୍କୁ ପୁଣି ଥରେ ବଡଚଣାରୁ ବିଜେପି ବିଧାନସଭା ପ୍ରାର୍ଥୀ କରିଛି । ଏହି ଆସନକୁ ଦଖଲ କରିବା ପାଇଁ ବିଜେପି ଜୋରଦାର ଲଢ଼େଇ କରିବ । ତେଣୁ ବିଜେଡି ଅମର ଶତପଥୀଙ୍କ ସ୍ଥାନରେ ବର୍ଷାଙ୍କୁ ଟିକେଟ ଦେଇ ଯେଉଁ ଏକ୍ସପେରିମେଂଟ କରିଛି ତାହା କେତେ ସଫଳ ହେଉଛି, ତା ଉପରେ ସାରା ଓଡିଶାର ନଜର ରହିଛି ।