ମୋକିମଙ୍କ ଝିଅ ହେବେ ପ୍ରାର୍ଥୀ? କଂଗ୍ରେସର ପ୍ଲାନ-ବି ପ୍ରସ୍ତୁତ

347

କନକ ବ୍ୟୁରୋ: ଗିରଫ ହେବେ ନାହିଁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ଓଆରଏଚ୍ଡିସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ୍ ମିଳିଛି । କୋର୍ଟଙ୍କ ଆଶ୍ୱାସ୍ତି ପରେ ବି ସେ ନିର୍ବାଚନ ଲଢିପାରିବେ ନାହିଁ । କେବଳ ପ୍ରଚାର କରିିବେ । ତେଣୁ ବାପାଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୌସ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋରଦାର ହୋଇଛି ।

କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଲଢିବାକୁ ନେଇ ସସପେନ୍ସ ଲାଗିରହିଛି । ଆଉ ଏହି ସମୟରେ ଓଆରଏଚଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକଙ୍କୁ ବଡ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମହମ୍ମଦ ମୋକିମଙ୍କୁ ଜାମିନ ଦେଇଛନ୍ତି । ଏହାସହ ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜାମିନ ପରେ ଆଗକୁ କଣ ହେବ? 
-ଏବେ ଆଉ ମହମ୍ମଦ ମୋକିମ ଗିରଫ ହୋଇପାରିବେ ନାହିଁ
-ମାମଲାର ଶୁଣାଣି ଆଗକୁ ସୁପ୍ରିମକୋର୍ଟରେ ହେବ
-ଭିଜିଲାନ୍ସ ବି କୋର୍ଟରେ ନିଜର ଉତ୍ତର ରଖିବ

ଦୁର୍ନୀତି ମାମଲାରେ ଫସିଛନ୍ତି ମହମ୍ମଦ ମୋକିମ । ତେଣୁ ସେ କଟକ ବାରବାଟୀ ଆସନରୁ ଲଢିବେ କି ନାହିଁ , ତାହା ଏବେ ବି ଅସ୍ପଷ୍ଟ ରହିଛି । କଂଗ୍ରେସ ବି ଏହି ଆସନକୁ ଝୁଲାଇ ରଖିଛି । ଚର୍ଚ୍ଚା ହେଉଛି, ମୋକିମ ନ ଲଢିଲେ ବିକଳ୍ପ ପ୍ରାର୍ଥୀ ହେବ କିଏ?

ଓଆରଏଚଡିସି ମାମଲାରେ ମୋକିମଙ୍କୁ ଜାମିନ ମିଳିଥିଲେ ବି ସେ ନିର୍ବାଚନ ଲଢିପାରିବେ ନା ନାଁ ତାହା ସ୍ପଷ୍ଟ ହୋଇନାହିଁ । ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଦେଇନଥିବାରୁ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ତେଣୁ ଚର୍ଚ୍ଚା ହେଉଛି, ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୌସ ପ୍ରାର୍ଥୀ ହୋଇପାରନ୍ତି । ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବାପା । ମୋକିମଙ୍କୁ ନେଇ ଆସନ ଝୁଲାଇ ରଖିଥିବା କଂଗ୍ରେସ ସୋଫିଆଙ୍କ ନାଁରେ ମୋହର ମାରିପାରେ । ବାରବାଟୀ-କଟକ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଏ ଯାଏଁ ଘୋଷଣା କରିନାହିଁ ।

-ସୋଫିଆ ହେଉଛନ୍ତି ଜଣେ ଯୁବ ମହିଳା ଉଦ୍ୟୋଗୀ
– ଖୁବ୍ କମ୍ ବୟସରେ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ପାଇଛନ୍ତି
-ବର୍ତମାନ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶିକା ଅଛନ୍ତି ସୋଫିଆ

ସୋଫିଆଙ୍କୁ ପ୍ରାର୍ଥୀ କରି ପକେଟ ଭୋଟ ହାତେଇବା ଚକ୍କରରେ ଅଛି କଂଗ୍ରେସ । ସୋଫିଆ ପ୍ରାର୍ଥୀ ହେଲେ ଝିଅ ପାଇଁ ପ୍ରତ୍ୟକ୍ଷ ଭାବେ ମୋକିମ ପ୍ରଚାର କରିବାରେ କୌଣସି ପ୍ରତିବନ୍ଧକ ନାହିଁ, ଯାହା କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ ବୋଲି କୁହାଯାଉଛି ।

ଓଆରଏଚ୍ଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ , ଯାହା ହାଇକୋର୍ଟରେ କାଏମ ରହିଥିଲା । ଆଉ ଏହାକୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ ସୁପ୍ରିମକୋର୍ଟ ଯାଇଥିଲେ ।

– ୨୦୦୦ ମସିହାରେ ଦେଢକୋଟି ଋଣ ହାତେଇବା ପାଇଁ ମେଟ୍ରୋ ବିଲ୍ଡର୍ସ ଓଆରଏଚଡିସିରେ ଆବେଦନ କରିଥିଲା
-ଋଣ ହାସଲ ପାଇଁ ମେଟ୍ରୋ ବିଲ୍ଡର୍ସ ଜାଲ କାଗଜପତ୍ର ଦେଇଥିବା ଅଭିଯୋଗ ହୋଇଥିଲା
-ସେ ସମୟରେ ମୋକିମ ମେଟ୍ରୋ ବିଲ୍ଡର୍ସର ଏମ.ଡି ଥିଲେ
-ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ
ଏବେ ନିର୍ବାଚନ ପୂର୍ବରୁ ମୋକିମ ସୁପ୍ରିମକୋର୍ଟ ଯାଇଥିବାରୁ ମାମଲାର ଗୁରୁତ୍ୱ ବଢିଯାଇଛି ।