ହକିରୁ ଅବସର ନେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ଅଲିମ୍ପିକ୍ସରେ ମେଡାଲ ଜିତି ରାଜ୍ୟକୁ ଗର୍ବିତ କରିଥିଲେ ବୀରେନ୍ଦ୍ର । 

198

କନକ ବ୍ୟୁରୋ : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ପୁଅ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଦଳର ଅଧିନାୟକ ଥିବା ବୀରେନ୍ଦ୍ର ହକିରୁ ଅବସର ଘୋଷଣା କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବା ବୀରେନ୍ଦ୍ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ । ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲା । ଆଉ ଏହି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଓ ଅମିତ ରୋହିଦାସ ସାମିଲ ଥିଲେ ।

ଟୋକିଓରେ ପଦକ ବିଜୟୀ ହେବା ପରେ ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ସହ ପୋଲିସ ବିଭାଗରେ ଡିଏସପି ନିଯୁକ୍ତି ଦେଇଥିଲେ । ଆଉ ଅଲିମ୍ପିକ୍ସରେ ଏତେବଡ ସଫଳତା ପାଇବା ପରେ ଏବେ ଅବସର ଘୋଷଣା କରିଛନ୍ତି ବୀରେନ୍ଦ୍ର । ଭାରତୀୟ ହକି ଦଳର ସଫଳତମ  ଖେଳାଳୀ ଥିବା ବୀରେନ୍ଦ୍ର ପଡିଆରେ ରକ୍ଷଣଭାଗ ସମ୍ଭାଳୁଥିଲେ । ପ୍ରତିପକ୍ଷକୁ କିଭଳି ଡିଫେଣ୍ଡ କରିହେବ ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ବୀରେନ୍ଦ୍ର । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ ଖେଳିଥିବା ବୀରେନ୍ଦ୍ର  ୨୦୦୭ରେ ଭାରତୀୟ ଜୁନିୟର ହକି ଟିମରେ ଡେବ୍ୟୁ କରିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ବୀରେନ୍ଦ୍ର । ଲଗାତାର ମ୍ୟାଚ୍ ଖେଳିବା ସହ ଦଳର ନିର୍ଭରଯୋଗ୍ୟ ଖେଳାଳୀ ଭାବେ ପରିଚିତ ଥିଲେ ବୀରେନ୍ଦ୍ର ।

ଏହାପୂର୍ବରୁ ଆଜି ଭାରତୀୟ ହକି ଦଳର ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ମଧ୍ୟ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିଲେ  ।ରୂପିନ୍ଦର ମଧ୍ୟ ଅଲିମ୍ପିକ୍ସ ମେଡାଲ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ ।