ପଳାତକ ବିଜୟ ମାଲ୍ୟାଙ୍କ ଲଜ୍ଜାହୀନ ଯୁକ୍ତି ! କହିଲେ, ଦୁଇ ପ୍ରମୁଖ ଦଳ ନିର୍ବାଚନରେ ଫାଇଦା ପାଇଁ ତାଙ୍କୁ ଫୁଟବଲ୍ ପରି ବ୍ୟବହାର କରିଛନ୍ତି

34

କନକ ବ୍ୟୁରୋ :  ପଳାତକ ବିଜୟ ମାଲ୍ୟାଙ୍କ ଲଜ୍ଜାହୀନ ଯୁକ୍ତି । କିଙ୍ଗଫିସର ନାଁରେ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ବିଜୟ ମାଲ୍ୟା ନିଜ ସପକ୍ଷରେ ଓକିଲାତି କରିଛନ୍ତି । ସେ କହିଛନ୍ତି କିଙ୍ଗଫିସର ଏକ ପବ୍ଲିକ କମ୍ପାନୀ ହୋଇଥିଲେ ବି ଋଣ ପରିଶୋଧ ନହୋଇ ପାରିବାରୁ ବ୍ୟକ୍ତିଗତ ଭାବରେ ଅଯଥାରେ ତାଙ୍କୁ ଦାୟୀ କରାଯାଇଛି ।

କେବଳ ଏତିକି ନୁହେଁ ସେ ଆହୁରୀ କହିଛନ୍ତି ଯେ, ଋଣ ଖିଲାପ ଏକ ସିଭିଲ ବ୍ୟାପାର ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯାଇଛି । ସିବିଆଇ ତାଙ୍କୁ ଜଣେ ଅପରାଧୀ ଭାବେ ଚିତ୍ରଣ କରିଛି । ଭାରତୀୟ ରାଜନୀତିକୁ ଏଥିପାଇଁ ସେ ଦାୟୀ କରି କହିଛନ୍ତି ଦୁଇ ପ୍ରମୁଖ ଦଳ ନିର୍ବାଚନରେ ଫାଇଦା ନେବା ପାଇଁ ତାଙ୍କୁ ଫୁଟବଲ୍ ପରି ବ୍ୟବହାର କରିଛନ୍ତି ।

ସେପଟେ ଭାରତୀୟ ଗଣମାଧ୍ୟମ ଉପରେ ମଧ୍ୟ ଦୋଷ ଲଦିଛନ୍ତି ମାଲ୍ୟା । ଭାରତୀୟ ଗଣମାଧ୍ୟମ ତାଙ୍କୁ ନିନ୍ଦା କରୁଛି ବୋଲି କହିଛନ୍ତି ବିଜୟ ମାଲ୍ୟା । ଲଣ୍ଡନରେ ଫର୍ମୁଲା ୱାନ୍ ରେସିଂ ପାଇଁ ନିଜ କାର୍ ଲଂଚ କରିବା ଅବସରରେ ନିଜ ସପକ୍ଷରେ ଓକିଲାତି କରିଛନ୍ତି ମାଲ୍ୟା ।

ସମଗ୍ର ଘଟଣାରେ ସେ ଆଇନଗତ ଲଢେଇ ଲଢିବେ କାରଣ ଭାରତ ନିକଟରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ମାଲ୍ୟା କହିଛନ୍ତି । ୯ହଜାର କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ପରେ ଗତବର୍ଷ ସେ ଲଣ୍ଡନକୁ ପଳାଇ ଯାଇଥିଲେ  । ସିବିଆଇ ଓ ଇଡି ଏହି ମାମଲାର ଯାଂଚ କରୁଛି  ।