ବୋରୱେଲ ଭିତରେ ପଡି ଅଢେଇ ବର୍ଷର ଝିଅ ସୃଷ୍ଟି କୁଶୱାର ମୃତ୍ୟୁ, ବିହାରରେ ପୋଲ ପିଲର ଭିତରେ ଫସିଥିବା ୧୨ ବର୍ଷର ବାଳକର ମୃତଦେହ ଉଦ୍ଧାର

85

କନକ ବ୍ୟୁରୋ : ବଞ୍ଚିପାରିଲେନି ସୃଷ୍ଟି । ବୋରୱେଲରେ ଦୀର୍ଘ ଘଂଟା ଫସି ରହିବା ପରେ ଆଜି ଉଦ୍ଧାର ହୋଇଥିଲେ କିନ୍ତୁ ଅଢ଼େଇବର୍ଷର ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶ ବୋରୱେଲରେ ଫସିରହିଥିଲା ଏହି ଅଢ଼େଇବର୍ଷର ଶିଶୁ କନ୍ୟା । ତିନିଶହ ଫୁଟର ବୋରୱେଲରେ ଫସିଥିବା ସୃଷ୍ଟିକୁ ଦୀର୍ଘ ୫୫ ଘଂଟା ପରେ ରୋବୋଟିକ ଟିମ ସହାୟତାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସିହୋର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ହେବାବେଳେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଏନଡ଼ିଆରଏଫ, ଏସଡ଼ିଆରଏଫ ଓ ସେନା ନିୟୋଜିତ ହୋଇଥିବାବେଳେ ଗୁରୁବାର ରୋବୋଟିକ ଏକ୍ସପର୍ଟ ଟିମ୍ ପହଁଥିଲେ । ମଙ୍ଗଳବାର ଅପରାହ୍ନ ସମୟରେ ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ପାଖ କ୍ଷେତରେ ଝିଅଟି ଖେଳୁଥିବାବେଳେ ବୋରୱେଲରେ ଖସିପଡ଼ିଥିଲା ।

ସେପଟେ ବହୁ ସମୟ ଧରି ପୋଲର ଦୁଇ ପିଲର୍ ମଝିରେ ଫସିରହିଥିବା ବାଳକ ରଂଜନ କୁମାର ଉଦ୍ଧାର ହେଲା । କିନ୍ତୁ ବାଳକଟିକୁ ସ୍ଥାନୀୟ ଶାଶାରାମ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ମୃତ୍ୟୁ ଘଟିଛି  । ଉଦ୍ଧାର ବେଳେ ଏହି ୧୨ ବର୍ଷ ବାଳକଟିର ଅବସ୍ଥା ଭଲ ନଥିଲା । ବିହାରର ରୋହତାସ ଜିଲ୍ଲାରେ ଏକ ପୋଲର ଦୁଇ ପିଲାର ମଝିରେ ଫସିଥିଲା ରଂଜନ । ଉଦ୍ଧାର କରିବା ପାଇଁ ଗତ ୨୦ ଘଂଟାରୁ ଉଦ୍ଧ୍ୱର୍ ସମୟ ଲାଗିଥିଲା । ଏନଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଯେଉଁଠି ୧୨ ବର୍ଷୀୟ ନାବାଳକ ବୁଧବାର ସକାଳୁ ନିଖୋଜ ହୋଇଥିଲା । ଏହି ପିଲା ମାନସିକ ଅନଗ୍ରସର ହୋଇଥିବାବେଳେ ହଠାତ୍ ଘରଲୋକଙ୍କ ନଜରରୁ ଗାଏବ ହୋଇଯାଇଥିଲା । ଘର ଲୋକ ଖୋଜାଖୋଜି କରିବାବେଳେ ଜାଣିବାକୁ ପାଇଲେ ବାଳକଟି ପୋଲର ପିଲର ମଝିରେ ଫସିଯାଇଛି । ଜଣେ ମହିଳା ପୋଲ ପାଖରେ ରଂଜନର କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ପିଲାଟି ପୋଲ ମଝିରେ ଫସିଥିବା କଥା ସେମାନଙ୍କ ଘର ଲୋକଙ୍କୁ ଜଣାଇଥିଲେ ।