ବ୍ରହ୍ମପୁର ଗେଟାସାହି ବସ୍ତିରେ ଅଗ୍ନିକାଣ୍ଡର ୩ ଦିନ ପରର ଘଟଣା : ଶୀତୁଆ ରାତିରେ ପଲିଥିନ୍ ତଳେ କଟୁଛି ବସ୍ତିବାସିନ୍ଦାଙ୍କ ଦିନ

27

କନକ ବ୍ୟୁରୋ : ବିପଦ ସିନା ଟଳିଗଲା, ହେଲେ ଛାଡ଼ି ଦେଇଗଲା ଯନ୍ତ୍ରଣା । ଜଳି ପୋଡ଼ି ପାଉଁଶ ହୋଇଗଲା, ମୁଣ୍ଡ ଗୁଂଜିବାକୁ ଥିବା ଏକମାତ୍ର ଭରସା । ଆଉ ଏବେ ଆଶ୍ରା କହିଲେ, କେଇ ଖଣ୍ଡ ପଲିଥିନ୍ । ଯେଉଁଠି ହାଡ଼ ଭଙ୍ଗା ଶୀତରେ ଅତି ଦୟନୀୟ ଭାବରେ କଟୁଛି ଦିନ । ଆଖି ଆଗରେ ଚାହୁଁଚାହୁଁ ଜଳିଗଲା ଦୀର୍ଘ ୨୫ ବର୍ଷ ପୁରୁଣା ବସ୍ତି । ତାସହ ଛାରଖାର ହୋଇଗଲା ଅନେକ ସ୍ୱପ୍ନ । ବ୍ରହ୍ମପୁର ଗେଟାସାହି ବସ୍ତିରେ ଅଗ୍ନିକାଣ୍ଡ ପରେ ଇଏ ହେଉଛି ବସ୍ତିବାସିନ୍ଦାଙ୍କ ସ୍ଥିତି ।ଅଗ୍ନିକାଣ୍ଡ ପରେ ଧାଇଁ ଆସିଲେ ସରକାରୀ ବାବୁମାନେ, ଆଉ କେଇଖଣ୍ଡ ପଲିଥିନ୍ ଦେଇ ସତେ ଯେମିତି ଏମାନଙ୍କୁ ଭୁଲି ଯାଇଛି ପ୍ରଶାସନ ।

ପିଲା, ଛୁଆ, ବୁଢ଼ା ସମସ୍ତଙ୍କୁ ନେଇ ଧରି ଏହି ଅସହ୍ୟ ଶୀତିରେ ବହୁ କଷ୍ଟରେ ବିତୁଛି ଏମାନଙ୍କ ସମୟ । ଆଉ ଏଭଳି ସ୍ଥିତିରେ କିଛି ଯୁବ ସଂଗଠନ, ବିପଦ ବେଳାର ବନ୍ଧୁ ସାଜି ଆଗେଇ ଆସିଛନ୍ତି । ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦେବା ପାଇଁ ୪ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା । ହେଲେ ଏଯାଏଁ ଏମାନଙ୍କ ପାଇଁ ଘର ନିର୍ମାଣ ହୋଇପାରିଲା ନା ଘର ମିଳିଲା । ଆଉ ଠିକ୍ ଏମିତି ବେଳେ ଦାଉ ସାଧିଲା ବିପର୍ଯ୍ୟୟ ।