ବାଂଲାଦେଶ ବିପକ୍ଷରେ ସିରିଜ ହାରିଲେ ରୋହିତଙ୍କୁ ଲାଗିପାରେ ବଡ ଝଟକା । ବିସିସିଆଇ ନେଇପାରେ ବଡ ନିଷ୍ପତ୍ତି ।

143

କନକ ବ୍ୟୁରୋ : ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଦିନିକିଆ ଶେର-ଏ-ବାଂଲା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ବାଂଲାଦେଶ ସିରିଜ କବଜା କରିବା ଲକ୍ଷ୍ୟରେ ରହିଥିବା ବେଳେ ଭାରତ ପାଇଁ ଏହି ମ୍ୟାଚ ଏବେ ସମ୍ମାନର ଲଢେଇ ସାଜିଛି । କାରଣ ପ୍ରଥମ ଦିନିକିଆରେ ଭାରତ ପରାଜିତ ହୋଇ ସିରିଜରେ ୧-୦ରେ ପଛୁଆ ଅଛି ଟିମ୍ ଇଣ୍ଡିଆ । ତେଣୁ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଏବେ ଭାରତ ପାଇଁ କର ବା ମର ସ୍ଥିତି ଛିଡା କରିଛି । ଯଦି ଦ୍ୱିତୀୟ ଦିନିକିଆରେ ଭାରତ ପରାଜିତ ହେଉଛି ତେବେ ବାଂଲାଦେଶରେ ସିରିଜ ହାରିବାର ଅପଖ୍ୟାତି ମୁଣ୍ଡାଇବେ ରୋହିତ । ଏହି ପରାଜୟ ରୋହିତଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନଚିହ୍ନ ଛିଡା କରିବ ।

ରୋହିତଙ୍କ ନେତୃତ୍ୱରେ ଦଳ ଟି-୨୦ ବିଶ୍ୱକପରେ ପରାଜିତ ହୋଇଥିବା ବେଳେ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାଜିତ ହୋଇଛି । ତେଣୁ ଦ୍ୱିତୀୟ ଦିନିକିଆ ହାରିଲେ ରୋହିତଙ୍କୁ କେବଳ ସମାଲୋଚନାର ଶିକାର ହେବାକୁ ପଡିବନି ବରଂ ହାତରୁ ଅଧିନାୟକ ପଦ ଖସିଯିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ ବଡ ଧରଣର ପରିବର୍ତ୍ତନ ପାଇଁ ଯୋଜନା କରୁଛି ବିସିସିଆଇ । ଏପରିକି ଚୟନ କମିଟିକୁ ବିସିସିଆଇ ଭଙ୍ଗ କରିଥିବା ବେଳେ ଅଧିନାୟକ ଓ କୋଚଙ୍କୁ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ବାଂଲାଦେଶ ନିଜ ହୋମଗ୍ରାଉଣ୍ଡରେ ବେଶ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ୨୦୧୬ ପରଠାରୁ ବାଂଲାଦେଶ ନିଜ ମାଟିରେ ଗୋଟିଏ ବି ସିରିଜ ହାରି ନାହିଁ । ଦଳ ଘରୋଇ ମାଟିରେ ଦମଦାର ପ୍ରଦର୍ଶନ କରି ଆସିଛି । ଖାସକରି ଦିନିକିଆ ଫର୍ମାଟରେ ଜବରଦସ୍ତ ଫର୍ମରେ ରହିଛି ବାଂଲାଦେଶ । ଆଉ ଭାରତ ବିପକ୍ଷରେ ପ୍ରଥମ ଦିନିକିଆରେ ବିଜୟୀ ହେବା ପରେ ବାଂଲାଦେଶର ଆତ୍ମବିଶ୍ୱାସ ମଧ୍ୟ ଯଥେଷ୍ଟ ଅଧିକ ବଢିଯାଇଛି । ତେଣୁ ଦିନିକିଆରେ କଣ ଫଳାଫଳ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।