କଂସ ମହାରାଜାଙ୍କୁ ଘାରିଲା ମୃତ୍ୟୁର ଭୟ ! ବିଶ୍ୱର ସର୍ବବୃହତ ରଂଗମଂଚରେ ଆରମ୍ଭ ହେଲା କୃଷ୍ଣଙ୍କ ଲୀଳା

43

କନକ ବ୍ୟୁରୋ :  ମଥୁରା ନରେଶଙ୍କୁ ବିବ୍ରତ କରି ଦେଉଛି ଦୈବବାଣୀ । ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ, ମୃତ୍ୟୁ ଆଶଙ୍କା ବଢ଼ାଇ ଦେଉଥିବା ବେଳେ କଂସଙ୍କ ପ୍ରେରିତ ଜଣେ ପରେ ଜଣେ ରାକ୍ଷାସ ବୀରଙ୍କ ମୃତ୍ୟୁ ହେଉଛି । କଂସଙ୍କ ଆଜ୍ଞା ପାଇ ଗୋପପୁର ଗମନ କରିଥିବା, ପୁତନା, ବକା, ଶକଟା, ତୃଣା, ଷଣ୍ଢାସୁରଙ୍କ ମୃତ୍ୟୁ ମହାରାଜା କଂସଙ୍କ ଭୟକୁ ବଢ଼ାଇ ଦେଉଛି । ଆଉ ଏହି ଭୟ ଦୂର କରିବା ସହ ମହାଦେବଙ୍କ ଆଶିର୍ବାଦ ପାଇବା ପାଇଁ ରୁଦ୍ରାବେଷକ କରିଛନ୍ତି ମଥୁରାପତି । ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନରେ ଏଭଳି ମନୋରମ ଦୃଶ୍ୟ ସବୁ ଅଭିନୀତ ହୋଇଛି ।

ଏପଟେ ଗୋପପୁରରେ ଜମୁଛି ପ୍ରଭୁଙ୍କ ଲୀଳା । କୁନି କୃଷ୍ଣ-ବଳରାମଙ୍କୁ ମହାଆଡମ୍ବରରେ ପାଳିତ ହୋଇଛି ନନ୍ଦ ଉତ୍ସବ । ସ୍ୱୟଂ ଭଗବାନଙ୍କୁ ପାଖରେ ପାଇ ଗୋପପୁର ବି ଖୁସିରେ ଉଛୁଳି ପଡୁଛି । ହେଲେ ଗୋଟିଏ ପରେ ଗୋଟିଏ ସଂକଟ ମାଡ଼ି ଆସୁଥିବାରୁ ନନ୍ଦରାଜା ଓ ରାଣୀଙ୍କୁ ବିବ୍ରତ କରିଦେଉଛି ।

ଦ୍ୱାପର ଯୁଗର ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ନାଟ୍ୟାଭିନୟକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆଉ ବରଗଡ଼ରେ ବଢୁଛି ଦର୍ଶକଙ୍କ ଗହଳି ।ଆଉ ଏହାରି ଭିତରେ ପୁଣି ରଙ୍ଗମହଲରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ।