ଝିଅକୁ ଦୁର୍ଷ୍କମ ଉଦ୍ୟମ ନେଇ ନିଜ ଦେହରେ ନିଆଁ ଲଗାଇ ଦେଲେ ଅସହାୟ ବାପ ! ନ୍ୟାୟ ପାଇଁ ବାରଦୁଆର ବୁଲୁଛନ୍ତି ଗରିବ ପରିବାର

43

କନକ ବ୍ୟୁରୋ :  ଝିଅର ସମ୍ମାନ ରକ୍ଷା କରିନପାରି ଅସହାୟ ବାପା ବାଛିନେଇଥିଲେ ଚରମ ପଦକ୍ଷେପ । ଅପମାନ ସହିନପାରି ନିଜ ଦେହରେ ଲଗାଇଦେଲେ ନିଆଁ । ଦେହର ୫୦ ଭାଗ ପୋଡିଯିବା ପରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ବି ତାଙ୍କ ଦୁଃଖ ଶୁଣିବାକୁ କେହି ନାହିଁ । ନ୍ୟାୟ ପାଇଁ ଥାନା ପିଣ୍ଡାରେ ଅଧିଆ ପଡିଛନ୍ତି ସ୍ୱାମୀ ସ୍ତ୍ରୀ । ସେମାନଙ୍କ କରୁଣ କାନ୍ଦଣା ଶୁଣିଲେ ଯେକୌଣସି ଲୋକ ଧୈର୍ଯ୍ୟ ଧରିପାରିବ ନାହିଁ । ମାତ୍ର ଥାନା ବାବୁଙ୍କ କାନରେ ପଡୁନାହିଁ ସେମାନଙ୍କ ଦୁଃଖ କାହାଣୀ ।

ପୂରା ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା କୈାଣସି ଉପାନ୍ତ ଅଂଚଳ କଥା ନୁହଁ ଖୋଦ ରାଜଧାନୀ ଉପକଣ୍ଠ ଭରତପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ବାପା-ମା ଘରେ ନଥିବା ବେଳେ ଅଷ୍ଟମ ଶ୍ରେଣୀର ନାବାଳିକା ଝିଅ ସହ ସେହି ଗାଁର ପିଂଟୁ ଦାସ ନାମକ ଜଣେ ୨୪ ବର୍ଷର ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ହଠାତ୍ ଝିଅର ବାପା ଘରେ ପହଁଚିଯିବାରୁ ଅଭିଯୁକ୍ତ ପିଂଟୁ ଦାସ ଘଟଣାସ୍ଥଳରୁ ଖସି ପଳାଇଥିଲା । ପ୍ରଥମେ ଝିଅକୁ ଦୁଷ୍କର୍ମ ଉଦ୍ୟମ, ପରେ ଏହି ଗରିବ ପରିବାର ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା ।

ଅଭିଯୁକ୍ତର ପରିବାର ଲୋକ ବାପା ଆଗରେ ଝିଅକୁ ଦୋଷ ଦେଇ ଗାଳିଗୁଲଜ କରିବା ସହ ମାଡ ମାରିବାକୁ ଦେଇଥିଲେ ଧମକ । ଏହା ପରେ ଅପମାନ ସହିନପାରି ଦେହରେ କିରୋସିନ ଢାଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ପୀଡିତାଙ୍କ ବାପା । ଆତ୍ମାହୂତି ଉଦ୍ୟମ ପରେ ଅଧାପୋଡା ଶରୀର । ନା ଚିକିତ୍ସା ପାଇଁ ଅଛି ଟଙ୍କା, ନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି । ଅଧାପୋଡା ଦେହରେ ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ଏହି ଗରିବ ପରିବାର ।