ଆଇନ ତିଆରି କରୁଥିବା ଜନପ୍ରତିନିଧି, ଆଇନଜୀବୀ ଭାବେ ବୃତ୍ତି କରିପାରିବେ କି? : ୫ ଶହ ସାଂସଦ ଓ ବିଧାୟକଙ୍କୁ ନୋଟିସ୍ କଲା ବାର କାଉନସିଲ୍ ଅଫ୍ ଇଣ୍ଡିଆ

59

କନକ ବ୍ୟୁରୋ : ଆଇନ ତିଆରି କରୁଥିବା ଜନପ୍ରତିନିଧି ଆଇନଜୀବୀ ଭାବେ ବୃତ୍ତି ନିର୍ବାହ କରିପାରିବେ କି? ଆଇନଜୀବୀ ଅଭ୍ୟାସ ଜାରି ରଖିଥିବା ସାଂସଦ ଓ ବିଧାୟକଙ୍କୁ ନୋଟିସ୍ କରିଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ । ୫୦୦ରୁ ଅଧିକ ସାଂସଦ ଓ ବିଧାୟକଙ୍କୁ ନୋଟିସ୍ କରିଛି ବିସିଆଇ । ସରକାରଙ୍କଠାରୁ ଦରମା ନେଉଥିବା ସାଂସଦ ଓ ବିଧାୟକମାନେ  କାହିଁକି ଆଇନଜୀବୀ ଭାବେ ବୃତ୍ତିଗତ ଅଭ୍ୟାସ ଜାରି ରଖିବେ ସେନେଇ ପକ୍ଷ ରଖିବାକୁ ନୋଟିସରେ କୁହାଯାଇଛି ।

ଏଥିପାଇଁ ଗୋଟିଏ ସପ୍ତାହ ସମୟ ଦେଇଛି ବାର କାଉନସିଲ୍ ଅଫ୍ ଇଣ୍ଡିଆ । ନୋଟିସ୍ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ, ମୀନାକ୍ଷୀ ଲେଖି, ବରିଷ୍ଠ କଂଗ୍ରେସ ସାଂସଦ କପିଲ ସିବଲ, କେଟିଏସ୍ ତୁଲସୀ, ପି. ଚିଦାମ୍ବରମ, ଅଭିଷେକ ମନୁ ସିଂଗଭିଙ୍କ ଭଳି ନେତା । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ନୋଟିସ କରାଯାଇଛି ।

ଆସନ୍ତାକାଲି ଖବରକାଗଜରେ ଏନେଇ ନୋଟିସ ପ୍ରକାଶ ପାଇବ । ଏହାର ସପ୍ତାହ ମଧ୍ୟରେ ସାଂସଦ ଏବଂ ବିଧାୟକ ମାନେ ସେମାନଙ୍କ ପକ୍ଷ ରଖିବେ । ଆସନ୍ତା ୨୨ତାରିଖରେ ପରବର୍ତି ଶୁଣାଣି କରାଯିବ ।