ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା । କଂଗ୍ରେସକୁ ଫେରିଲେ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ । 

576

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ବୈଜନାଥ ଯାଦବ କଂଗ୍ରେସର ହାତ ଧରିଛନ୍ତି । ଗତ ୨୦୨୦ରେ ଶିବପୁରୀରେ ସିନ୍ଧିଆଙ୍କ ସହ ବୈଜନାଥ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ନିଜର ପୁରୁଣା ଘରକୁ ଫେରିଛନ୍ତି ବୈଜନାଥ । କେବଳ ବୈଜନାଥ ନୁହଁନ୍ତି ବରଂ ତାଙ୍କର ଶହ ଶହ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି ।

ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଉପସ୍ଥିତିରେ ବୈଜନାଥ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି ଯେ, କମଲନାଥଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପି ନେତା ବୈଜନାଥ ଯାଦବ କଂଗ୍ରେସରେ ସାମିଲ ହୋଇଛନ୍ତି । ମଧ୍ୟପ୍ରଦେଶରେ ଚାଲିଥିବା ଜଙ୍ଗଲରାଜର ଅନ୍ତ ଅଭିଯାନରେ ଆପଣଙ୍କୁ ସ୍ୱାଗତ ।

ମଧ୍ୟପ୍ରଦେଶରେ ଚଳିତବର୍ଷ ଶେଷ ଆଡକୁ ନିର୍ବାଚନ ହେବ  ।ବିଜେପି କ୍ଷମତା ବଜାୟ ରଖିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ସରକାରକୁ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି । ଏହାପୂର୍ବରୁ ୨୦୧୮ରେ ମଧ୍ୟପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଥିଲା । ଏପରିକି କଂଗ୍ରେସ ସରକାର ମଧ୍ୟ ଗଢିଥିଲା । କିନ୍ତୁ ୨୦୨୦ରେ ସିନ୍ଧିଆଙ୍କ ସହ କିଛି ବିଧାୟକ ମିଶି କଂଗ୍ରେସ ସହ ବିଦ୍ରୋହ କରିଥିଲେ । ପରେ ବିଜେପିରେ ସାମିଲ ହୋଇଥିଲେ । ବିଦ୍ରୋହ କରିଥିବା ବିଧାୟକ ଇସ୍ତଫା ଦେବା ପରେ କମଲନାଥଙ୍କ ସରକାର ଭାଙ୍ଗି ଯାଇଥିଲା ଏବଂ ବିଜେପି ସରକାର ଗଢିବାକୁ ସୁଯୋଗ ପାଇଥିଲା ।