ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ୩ ବର୍ଷ । ଭାବପ୍ରବଣ ଭିଡିଓ ପୋଷ୍ଟ କଲେ ଭଉଣୀ ଶ୍ୱେତା, କହିଲେ ସୁଶାନ୍ତ ଏବେ ବି ଆମ ଭିତରେ ବଞ୍ଚିଛି ।

1,190

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୁରିଛି । ୨୦୨୦ର ଆଜିର ଦିନରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଏବେ ବି ଅନେକ ଲୋକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକରେ ପୁଣିଥରେ ସୁଶାନ୍ତଙ୍କୁ ସମସ୍ତେ ମନେ ପକାଇଛନ୍ତି । କେବଳ ତାଙ୍କର ପ୍ରଶଂସକ ନୁହନ୍ତି ବରଂ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ମଧ୍ୟ ଏକ ଭାବପ୍ରବଣ ଭିଡ଼ିଓ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

କେବଳ ଭଉଣୀ ଶ୍ୱେତା ନୁହନ୍ତି ବରଂ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁ ଭିଡ଼ିଓକୁ ନେଇ ରିୟାଙ୍କ ଉପରେ ବର୍ଷିଛନ୍ତି ସୁଶାନ୍ତଙ୍କ ପ୍ରଶଂସକ । ଅନ୍ୟପଟେ ଭଉଣୀ ଶ୍ୱେତାଙ୍କ ଭିଡ଼ିଓକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି । କିଛି ପ୍ରଶଂସକ ଭାବବିହ୍ୱଳ ମଧ୍ୟ ହୋଇପଡିଛନ୍ତି ।

ଭଉଣୀ ଶ୍ୱେତା ଭିଡ଼ିଓ ସେୟାର କରି ପ୍ରଶଂସକଙ୍କୁ କହିଛନ୍ତି ଯେ, ଯଦି ଆମେ ସୁଶାନ୍ତଙ୍କୁ ଆମ ଭିତରେ ବଞ୍ଚାଇ ରଖିବାକୁ ଚାହୁଁଛେ ତେବେ ତାଙ୍କର ଭଲ ଗୁଣକୁ ଆପଣାଇବାକୁ ପଡିବ । ଏକ ଛୋଟ ସୂଚନା, ଆମ ପାଖରୁ ସୁଶାନ୍ତ କୁଆଡେ ବି ଯାଇନି । ସୁଶାନ୍ତ ଏବେ ବି ଆମ ଭିତରେ ବଞ୍ଚି ରହିଛି । ଏଭଳି ଭିଡ଼ିଓ ଛାଡି ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଭାବବିହ୍ୱଳ କରି ଦେଇଛନ୍ତି ଭଉଣୀ ଶ୍ୱେତା ।

୨୦୨୦ ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କୁ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ ସୁଶାନ୍ତଙ୍କ ପରିବାର ଲୋକେ । ତେବେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିଲା । ଏହାସତ୍ତେ୍ୱ ମଧ୍ୟ ଏବେ ବି ଏହି ମାମଲାର ଯାଞ୍ଚ ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଛି ସିବିଆଇ ।