ଦେଇଛି ଇସ୍ତଫା ହେଲେ ହରାଇନି ଆସ୍ଥା : ପଦ ଗଲା ପରେ ପତିଆରା ପ୍ରଦର୍ଶନ କଲେ ଅତନୁ

55

କନକ ବ୍ୟୁରୋ : ସମ୍ ନିଆଁରେ ମନ୍ତ୍ରୀ ପଦ ପୋଡି ଯିବା ପରେ ନିଜ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ  । ନିଜ ସମର୍ଥକଙ୍କ ସହ ଏକ ବିରାଟ ବାଇକ ରାଲିରେ ବାହାରି ପାୱାର ସୋ ପ୍ରଦର୍ଶନ କରିଛନ୍ତି ଅତନୁ । ନିଜ ନିର୍ବାଚନ ମଣ୍ଡଳୀ ମହାକାଳପଡାରେ ନିଜ ଦମ ଦେଖାଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ।

ସେପଟେ ରାଲିରେ ଲାଗିଥିଲା ସମର୍ଥକଙ୍କର ଲମ୍ବା ଲାଇନ । ମହାକାଳପଡାରେ ଅତନୁ ପହଚିଂବା ପରେ ତାଙ୍କୁ ସମର୍ଥକ ମାନେ ପାଛୋଟି ନେଇଥିଲେ । ଏହି ଅବସରରେ ଆୟାଜିତ ଏକ ବିଶାଳ ସଭାରେ ଶହ ଶହ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ଏହା ସହ କହିଥିଲେ ନୈତିକତା କାରଣରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଛାତ୍ର, ଯୁବକ, ବରିଷ୍ଠ ନାଗରିକ ସମସ୍ତେ ଗୋଟିଏ ସୂତାରେ ବନ୍ଧା । ସମସ୍ତ କର୍ମୀଙ୍କୁ ମଳିମିଶି କାର୍ଯ୍ୟ କରିବା ପାଇଁ ଅତନୁ ଆହ୍ୱାନ ଦେଇଥିଲେ  ।

ପଂଚାୟତ ନିର୍ବାଚନ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ କହିଛନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସମ୍ ଅଗ୍ନିକାଣ୍ଡ ଘଟଣା ପରେ ବିବାଦରେ ଥିଲେ ଅତନୁ ।  ଚାରିଆଡୁ ଚାପ ପଡିବା ପରେ ଗତକାଲି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।