ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସରକାରୀ ବଙ୍ଗଳା ମରାମତି ମାମଲାରେ ଯାଂଚ କରିବ ସିଏଜି

361

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ମରାମତି ମାମଲାରେ ଏବେ ସିଏଜି ଯାଂଚ କରିବ । କଥିତ ଅନିୟମିତତା ଓ ନିୟମର ଉଲଙ୍ଘନ ଉପରେ ବିଶେଷ ଯାଂଚ ହେବ ।

ସୂଚନା ମୁତାବକ ଦିଲ୍ଲୀ ଉପ ରାଜ୍ୟପାଳ ବି.କେ ସକସେନାଙ୍କ କାର୍ଯ୍ୟାଳୟ ତରଫରୁ ମେ ୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଏକ ଚିଠି ଲେଖାଯାଇଥିଲା । ଏଥିରେ ସିଏଜି ଦ୍ୱାରା ବିଶେଷ ଯାଂଚ କରିବାକୁ ସୁପାରିଶ କରାଯାଇଥିଲା । ଚିଠିରେ ଅଭିଯୋଗ ରହିଥିଲା କି ପ୍ରାଥମିକ ସ୍ତରରେ ମୁଖ୍ୟମନ୍ତ୍ରୀ ଆବାସ ପୁନଃନିର୍ମାଣ ଓ ମରାମତି ନାମରେ ଆଇନର ଉଲଙ୍ଘନ କରାଯାଇଛି । ଏହାସହ ଆର୍ଥିକ ଅନିୟମିତତା ହୋଇଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ ରହିଥିଲା ।

ଏହି ସୁପାରିଶ ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ମାମଲାର ଯାଂଚ ପାଇଁ ସିଏଜିଙ୍କ ନିକଟକୁ ପଠାଇ ଦେଇଥିଲେ । ଏବେ ଦିଲ୍ଲୀ ସ୍ଥିତ ସିଭିଲ ଲାଇନ୍ସ-୬ ଫ୍ଲାଗ ଷ୍ଟକ ରୋଡ ସ୍ଥିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ସହିତ ଜଡିତ ମାମଲାରେ ସିଏଜି ବିଶେଷ ଯାଂଚ କରିବ ।

ସୂଚନା ଥାଉକି ମୁଖ୍ୟମନ୍ତ୍ରୀ ଆବାସ ପୁନଃନିର୍ମାଣ ମାମଲାରେ ବିଜେପି ଅନେକ ଅଭିଯୋଗ ଆଣିଥିଲା । ବିଜେପି ତରଫରୁ ଅଭିଯୋଗ କରାଯାଇଥିଲା କି ପିଡବ୍ଲ୍ୟୁର ବିନା ଅନୁମତିରେ ୭.୬୨ କୋଟି ଟଙ୍କା ବଜେଟକୁ ୩୩.୨୦ କୋଟି ଟଙ୍କାକୁ ବୃଦ୍ଧି କରି ଏହି ଆବାସର ପୁନଃନିର୍ମାଣ କରାଯାଇଛି । ଏହାସହ ଏହି ବଙ୍ଗଳା ପାଇଁ କିଣାଯାଇଥିବା ପ୍ରତିଟି କାର୍ପେଟର ଦାମ ୭.୯୪ ଲକ୍ଷ ଟଙ୍କା ।
ବିଜେପିର ଏଭଳି ଅଭିଯୋଗ ଉପରେ ଜବାବ ରଖିଥିଲା ଆପ୍ । ଆପ୍ ର ରାଜ୍ୟସଭା ସାଂସଦ ସଂଜୟ ସିଂ କହିଥିଲେ କି ଲୋକଙ୍କ ଧ୍ୟାନ ମୁ୍ଖ୍ୟ ପ୍ରସଙ୍ଗରୁ ହଟାଇବାକୁ ଏଭଳି ବିବାଦ ତିଆରି କରାଯାଇଛି । ସେପଟେ ପୂରା ମାମଲାରେ ଦିଲ୍ଲୀ ଉପ ରାଜ୍ୟପାଳ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଥିଲେ । ଏହି କ୍ରମରେ ମୁଖ୍ୟ ସଚିବ ରିପୋର୍ଟର ପ୍ରଥମଭାଗ ଏପ୍ରିଲ ୨୭ ତାରିଖ ଓ ଦ୍ୱିତୀୟ ଭାଗ ମେ’୧୨ ତାରିଖରେ ଉପରାଜ୍ୟପାଳଙ୍କ ସଚିବାଳୟକୁ ପଠାଇଥିଲେ ।